ପୁରୀ:କୋଭିଡ କଟକଣା ସହ ଆୟୋଜନ ହେବ ମହାପ୍ରଭୁ ଜଗନ୍ନାଥଙ୍କ ଚନ୍ଦନ ଯାତ୍ରା । ଏହାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି (ସୋମବାର) ଚନ୍ଦନ ଯାତ୍ରା ନୀତି ସହିତ ଜଡିତ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ସହ ପୁରୀ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ଚଳିତ ବର୍ଷ ଲକଡାଉନ ଓ କୋଭିଡ କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ସମାଗମକୁ ଅନୁମତି ଦିଆଯିବ ନାହିଁ ।
ସେହିପରି ଆସନ୍ତା ଅକ୍ଷୟ ତୃତୀୟାରୁ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ କରାଯିବ । ମହାପ୍ରଭୁଙ୍କ ଏହି ନୀତି ମଧ୍ୟ କୋଭିଡ କଟକଣାରେ ଆୟୋଜିତ ହେବ । ତେବେ ରଥ ନିର୍ମାଣ ଓ ଚନ୍ଦନ ଯାତ୍ରାରେ ସମ୍ପୃକ୍ତ ଥିବା ସେବାୟତଙ୍କ ଆସନ୍ତା ମଙ୍ଗଳବାର ଠାରୁ କୋଭିଡ ଟେଷ୍ଟ କରାଯିବ । ଚନ୍ଦନ ଯାତ୍ରାରେ କୋଭିଡ ଗାଇଡଲାଇନ sopକୁ ପାଳନ କରାଯିବ । ସେହିଦିନ ନରେନ୍ଦ୍ର ପୁଷ୍କରିଣୀରୁ ଶ୍ରୀମନ୍ଦିର ଯାଏଁ 144 ଧାରା ଜାରି କରିବା ନେଇ ଆଲୋଚନା ଚାଲିଛି । ଏହାକୁ ନେଇ ପୁରୀ ଏସପି କେ ବିଶାଳ ସିଂ ସୂଚନା ଦେଇଛନ୍ତି ।