ଭୁବନେଶ୍ବର: ସାମୁଦ୍ରିକ ଝଡ ‘ବୁଲବୁଲ’ରେ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ସାତ ଜଣିଆ କେନ୍ଦ୍ରୀୟ ଟିମ । ଏହି ଟିମ ବାତ୍ୟା ବୁଲବୁଲ ପ୍ରଭାବିତ ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ବର ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି । ଏହି ଟିମ କେନ୍ଦ୍ର ସରକାରଙ୍କୁ କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବେ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସହେଲି ଘୋଷଙ୍କ ନେତୃତ୍ବରେ ଆସିଥିବା ଏହି କେନ୍ଦ୍ରୀୟ ଦଳ 2 ଭାଗ ହୋଇ 4ଟି ଜିଲ୍ଲା ଗସ୍ତ କରିଛନ୍ତି । ଗ୍ରୁପ-କ ଚାନ୍ଦବାଲି, ଭଦ୍ରକ, ବାସୁଦେବପୁର ଓ ବାଲେଶ୍ବର ଜିଲ୍ଲାର ଭୋଗରାଇ ପରିଦର୍ଶନ କରିଥିବା ବେଳେ ଗ୍ରୁପ-ଖ କେନ୍ଦ୍ରାପଡାର ରାଜନଗର ଓ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ଓ ଏରସମା ଅଞ୍ଚଳରେ କ୍ଷୟକ୍ଷତିର ଆକଳନ କରିଛନ୍ତି ।
ଅପରାହ୍ନରେ କେନ୍ଦ୍ରୀୟ ପ୍ରତିନିଧି ଦଳର 3ଜଣିଆ କମିଟି ଭୋଗରାଇ ବ୍ଳକର ବିଭିନ୍ନ ପଞ୍ଚାୟତର କ୍ଷୟକ୍ଷତି ବୁଲି ଦେଖିଛନ୍ତି। ଏହି ଅଞ୍ଚଳରେ ଚାଷରେ ବ୍ୟାପକ କ୍ଷତି ହୋଇଥିବା ବେଳେ କେନ୍ଦ୍ରୀୟ ଟିମ ଏହାର ତଦନ୍ତ କରିଛି । କ୍ଷୟକ୍ଷତି ସଂପର୍କରେ କେନ୍ଦ୍ରୀୟ ଟିମ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାପାଳ, ଭୋଗରାଇ ତହସିଲଦାର, ବିଡ଼ିଓ, କୃଷି ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।
କେନ୍ଦ୍ରୀୟ ଟିମର ତିନିଜଣିଆ ସଦସ୍ୟ ରାଜନଗର ଅଞ୍ଚଳର ତାଳଚୁଆ, ରଙ୍ଗଣୀ, ଈଶ୍ୱରପୁର ଆଦି ସ୍ଥାନକୁ ଯାଇ ବୁଲବୁଲ କ୍ଷୟକ୍ଷତି ଆକଳନ କରିଛନ୍ତି । ଏହାସହ କେନ୍ଦ୍ରୀୟ ଟିମ ବିଭିନ୍ନ ପ୍ରଶାସନିକ ଅଧିକାରୀ, ଲୋକ ପ୍ରତିନିଧି, ଚାଷୀ, ଜନସାଧାରଣ ମାନଙ୍କ ସହିତ ଆଲୋଚନା କରି ଏକ ରିପୋର୍ଟ ପ୍ରସ୍ତୁତ କରିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।