ବାଲେଶ୍ବର: ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ସରକାରୀ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଅନେକ ହିତାଧିକାରୀ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ରାଜ୍ୟରେ ସରକାରୀ ଯୋଜନା କିପରି ଚାଲିଛି, ତାହାର ଏକ ନମୁନା ପାଇଁ ବାଲେଶ୍ଵରର ନୀଳଗିରି ଅଞ୍ଚଳକୁ ଯିବାକୁ ପଡ଼ିବ । ସରକାରୀ ଯୋଜନାର ସଫଳ ରୂପାୟନ କରିବା ଲାଗି ବିଭିନ୍ନ ସ୍ତରରେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଏହି ସରକାରୀ ଯୋଜନାକୁ ସରକାରୀ ବାବୁମାନେ କିପରି ସଠିକ ରୂପାୟନ କରୁଛନ୍ତି, ତାହା ନୀଳଗିରି ଭଳି ଆଦିବାସୀ ବହୁଳ ଅଞ୍ଚଳରେ ଯିଏ ନଦେଖିବ ବିଶ୍ବାସ କରିପାରିବ ନାହିଁ । ରାଜନୈତିକ ଆକ୍ରୋଶ ହେଉ ଅବା ବିଭଗୀୟ ଅଧିକାରୀଙ୍କ ଦ୍ବାରା ସଠିକ ତଦନ୍ତ ନହେବା କାରଣରୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ।
ଏଭଳି ଘଟଣାର ଅସଲ ଚିତ୍ର ବାଲେଶ୍ଵର ନୀଳଗିରି ବିଡିଓଙ୍କୁ ଭିଡିଓ କଲ କରି ହିତାଧିକାରୀଙ୍କୁ ଦେଖାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ବାଲେଶ୍ଵର ଜିଲ୍ଲା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ୭୦ ପ୍ରତିଶତରୁ ଅଧିକା ଲୋକ ଗରିବ ଶ୍ରେଣୀୟ ଅଟନ୍ତି । ଅନେକ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । ପରିବାରର ମୁଖିଆ ଅସୁସ୍ଥ ହେଲେ କିମ୍ବା ଦେହାନ୍ତ ହେଲେ ସେହି ପରିବାର ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ । ନୀଳଗିରି ଆଦିବାସୀ ବ୍ଲକର ୨୫ ଟି ପଞ୍ଚାୟତରେ ସରକାରଙ୍କ ଯୋଜନା ସଠିକ ରୂପାୟନ ହୋଇନଥିବା ଖୋଦ କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରୁଛନ୍ତି ।