ଭୁବନେଶ୍ବର: ଶିଶୁଟି ଜନ୍ମ ନେଲେ ନିଜ ସହ ନେଇ ଆସେ ଖୁସିର ମାହୋଲ । ଚାରିଆଡେ ଶୁଭେ ଖାଲି କୁଆଁ କୁଆଁର ଶବ୍ଦ । ଆଉ ନୂତନ ସଦସ୍ୟକୁ ପାଇ ପରିବାରବର୍ଗ ମଧ୍ୟ ବେଶ ଉତ୍ସାହିତ ହୋଇଥାନ୍ତି । ତୁଳସୀର ଜନ୍ମ ପରେ ମଧ୍ୟ ପରିବାରରେ ଖେଳିଯାଇଥିଲା ଆନନ୍ଦର ଲହରୀ । ମାତ୍ର ଏହି ସୁଖ ବେଶୀ ଦିନ ସହିଲାନି ଦଇବ । ଜନ୍ମ ହେବାର କେଇ ମାସ ପରେ ଜୀବନ ଜିଇଁବାକୁ ନିତିଦିନ ସଂଘର୍ଷ କରୁଛି ଏହି ଦୁଇ ବର୍ଷ 2 ମାସର ଶିଶୁକନ୍ୟା ।
ତୁଳସୀ ସାଧାରଣ ଶିଶୁଙ୍କ ପରି ଦେଖିବାକୁ ହୃଷ୍ଟପୃଷ୍ଟ । ହେଲେ ସେମାନଙ୍କ ପରି ନା ସେ ଗୁରୁଣ୍ଡି ପାରୁଛି ନା ନିଜେ ଖାଇପାରୁଛି । କାରଣ ଜନ୍ମ ହେବାର 10 ମାସ ପରେ ହଠାତ୍ ଦିନେ ତାକୁ ବାତ ମାରିଥିଲା । ଯାହା ପରଠୁ ସେ ସବୁଦିନ ପାଇଁ ଏକ ଅଜଣା ରୋଗରେ ପୀଡିତ ହୋଇ ସ୍ଥାଣୁ ପାଲିଟିଯାଇଛି । କୁନି ଝିଅର ଏହି ଅସହ୍ୟ ଯନ୍ତ୍ରଣା ଦେଖି କୋହ ସମ୍ଭାଳି ପାରୁନାହାନ୍ତି ପରିବାର ଲୋକେ । କ୍ୟାପିଟାଲ ହସ୍ପିଟାଲ ଠାରୁ ଆରମ୍ଭ କରି ଏମ୍ସ ପର୍ଯ୍ୟନ୍ତ ସବୁଠି ଝିଅର ଚିକିତ୍ସା କରି ପରିବାର ଏବେ ବିଫଳ । ରୋଗ ତ ଭଲ ହେବା ଦୂର କଥା ଦୁଃଖର ଭାର ବଢିବାରେ ଲାଗିଛି ।
ରାଜଧାନୀ ଭୁବନେଶ୍ବରସ୍ଥିତ ନୀଳାଦ୍ରି ବିହାର ଆଦର୍ଶ ବସ୍ତିର ଏକ ଛୋଟିଆ ଘରେ ରହୁଥିବା ଏହି ପରିବାରର ଦୁଃଖଭରା କାହାଣୀ ନଦେଖିଲେ ବିଶ୍ବାସ ହେବନି । ଗୋଟିଏ ପଟେ ଝିଅର ଚିକିତ୍ସା ଆଉ ଗୋଟିଏ ପଟେ ଦାରିଦ୍ର୍ୟତାର ବୋଝ ସତେଯେମିତି ତୁଳସୀର ବାପା ମାଙ୍କୁ ମାଡି ବସିଛି । ତୁଳସୀଙ୍କ ବାପା ପେଶାରେ ଜଣେ ଦିନ ମଜୁରିଆ ହୋଇଥିବାବେଳେ ଦିନ ମଜୁରୀ ବାବଦକୁ 400ଟଙ୍କା ରୋଜଗାର କରିଥାନ୍ତି । ହେଲେ ଏତିକି ଟଙ୍କାରେ 5 ପ୍ରାଣୀ ଚଳେଇ ଝିଅର ଚିକିତ୍ସା କରାଇବା ତାଙ୍କ ପାଇଁ କାଠିକର ପାଠ ଭଳି । ଏମିତି ସ୍ଥିତିରେ ସପରିବାର ସରକାରୀ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ।