ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ପକ୍ଷରୁ ନିକଟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫି ବୃଦ୍ଧି କରାଯାଇଛି । ଯାହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶାଙ୍କଙ୍କୁ ଚିଠି ଲେଖିଛନ୍ତି ।
ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ବୃଦ୍ଧି ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ଏଥିସହିତ ଅନୁସୂଚିତ ଜାତି ଜନଜାତି ଛାତ୍ରଙ୍କ ଫି 24 ଗୁଣା ବୃଦ୍ଧି ଏକ ଉଦବେଗର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ସିବିଏସ୍ଇ ଅନୁବନ୍ଧିତ ହୋଇ 200ଟି ମଡେଲ ସ୍କୁଲ ଖୋଲିଛନ୍ତି । ଯାହା ପଛୁଆ ଗରିବ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ମାତ୍ର ଫି ବୃଦ୍ଧି ସେମାନଙ୍କ ପାଇଁ କଷ୍ଟକର ହେବ ।