ଭୁବନେଶ୍ବର: ପୂର୍ବରୁ ମାଲକାନଗିରି ଡାକ୍ତରଖାନାରେ ନର୍ସଙ୍କ ଟିକଟିକ ଭିଡିଓ ଭାଇରାଲ ହେବା ପରେ ଏବେ ପୁଣି ସେମିତି ଏକ ଘଟଣା ସାମନାକୁ ଆସିଛି । ଏବେ କ୍ୟାପିଟାଲ ହସପିଟାଲର କର୍ମଚାରୀ ଟିକ୍ଟକ୍ କରିବାରେ ବ୍ୟସ୍ତ ଥିବା ଅଭିଯୋଗ ଆସିଛି । ଫଳରେ ଏଚଆଇଭି ପରୀକ୍ଷା ପାଇଁ ଆସୁଥିବା ରୋଗୀଙ୍କୁ କରାଯାଉଛି ଅଣଦେଖା ଓ ଦୁର୍ବ୍ୟବହାର। ଏନେଇ ଲିଖିତ ଭାବରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ଟିକଟକ୍ ବ୍ୟସ୍ତ କର୍ମଚାରୀ, ରୋଗୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଅଭିଯୋଗ ମୁତାବକ, ଡିସେମ୍ବର 17 ତାରିଖରେ ଆଇସିୟୁରେ ରତ୍ନାକର ରାଉତଙ୍କର ଜଣେ ସମ୍ପର୍କୀୟଙ୍କ ଏଚଆଇଭି ପରୀକ୍ଷା ହେବାର ଥିଲା । ତେବେ ଏହି ରୋଗର ପଞ୍ଜିକରଣ ବାବଦରେ ବୁଝିବା ପାଇଁ ଡାକ୍ତର ରତ୍ନାକରଙ୍କୁ ଏଆରଟି ସେଣ୍ଟରକୁ ପଠାଇଥିଲେ । ହେଲେ ଏହି ସେଣ୍ଟରରେ ନିୟମକୁ ବୁଝିପାରିନଥିଲେ ରତ୍ନାକର । ଦୀର୍ଘ ସମୟ ପରେ ବି କୌଣସି ପ୍ରକାରର ପଞ୍ଜିକରଣ ବାବଦରେ ତାଙ୍କୁ ସହଯୋଗ କରିନଥିଲେ ହସପିଟାଲ କର୍ମଚାରୀ । ବରଂ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ । ତେବେ ତାଙ୍କ ସହ ଏଭଳି କାହିଁକି ବ୍ୟବହାର କରାଯାଉଛି ଏହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ ରତ୍ନାକର।
ପରେ ଜାଣିବାକୁ ପାଇଥିଲେ ଯେ ହସ୍ପିଟାଲରେ ଟିକ୍ଟକ୍ କରିବାରେ ବ୍ୟସ୍ତ ଥିଲେ ଦୁଇ କର୍ମଚାରୀ । ଏମିତିକି ହସ୍ପିଟାଲର ଏକ ଚାମ୍ବରରେ ଭିଡିଓ କରୁଥିଲେ । ବେକରେ ଆଇକାର୍ଡ ପିନ୍ଧିଥିବାବେଳେ ହସ୍ପିଟାଲର ଅନେକ ଗୁଡ଼ିଏ କାଗଜପତ୍ର ଭିଡିଓରେ ଦୃଶ୍ୟମାନ ହେଉଛି। ଏହି ଭିଡିଓରେ ଅଶାଳୀନ ଭାଷା ବ୍ୟବହାର କରାଯାଉଛି । ଏହି ଘଟଣାକୁ ନେଇ କ୍ୟାପିଟାଲ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ସେଣ୍ଟର କ୍ୟାପିଟାଲ ହସ୍ପିଟାଲର ଅଧୀନରେ ନାହିଁ । ସିଡିଏମଓ ଓ ଓସାକ୍ସ ଅଧୀନରେ ରହୁଛି । ତେବେ ଏଭଳି କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ରତ୍ନାକର କହିଛନ୍ତି ।
ରାଜ୍ୟରେ ଏଚଆଇଭି ମୁକ୍ତ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ଓ ଓସାକ୍ସ ପକ୍ଷରୁ ଘୋଷଣା କରାଯାଇଛି । ଏଚଆଇଭି ରୋଗୀଙ୍କୁ ଭଲ ଚିକିତ୍ସା ଯୋଗାଇବା ସହ ଉତ୍ତମ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି। କ୍ୟାପିଟାଲ ହସ୍ପିଟାଲରେ ରହିଥିବା ଏଆରଟି ସେଣ୍ଟର ଓସାକ୍ସ ଅଧୀନରେ ରହିଛି । ଏହି ସେଣ୍ଟରକୁ ତଦାରଖ କରୁଛନ୍ତି ଖୋଦ ଖୋର୍ଦ୍ଧା ସିଡିଏମଓ । ଅସ୍ତ୍ରପୋଚାର ପୂର୍ବରୁ ଏଚଆଇଭି ପରୀକ୍ଷା କରାଯାଇଥାଏ । ହେଲେ ଏଚଆଇଭିରେ ସଂକ୍ରମଣ ହୋଇଥିବା ସମ୍ପର୍କୀୟ ରତ୍ନାକର ରାଉତ ଆଣିଛନ୍ତି ଦୁର୍ବ୍ୟବହାର ଅଭିଯୋଗ । ଏନେଇ ଲିଖିତ ଭାବରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ସହ ଖୋର୍ଦ୍ଧା ସିଡିଏମଓ, ଡିଏଚଏଚ, ଡିପିଏମ୍ ଓସାକ୍ସର ନିର୍ଦ୍ଦେଶକଙ୍କୁ ଅଭିଯୋଗର ନକଲ କପି ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ