ଭୁବନେଶ୍ବର: କୋରୋନା ମହାମାରୀର ୩ୟ ଲହରରେ ହସ୍ପିଟାଲର ୩୦ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏବେ ଚାପରେ ଚାଲିଛି କ୍ୟାପିଟାଲ ହସ୍ପିଟାଲ । ସେମାନଙ୍କ ମଧ୍ୟରେ ରହିଛନ୍ତି 10 ଡାକ୍ତର ଓ 20 ପାରା ମେଡ଼ିକାଲ କର୍ମଚାରୀ । ଏଣୁ ଏବେ କମ କର୍ମଚାରୀରେ ରୋଗୀ ସେବା ଜାରି ରଖିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
ଯେଉଁଠି ପୂର୍ବରୁ 3 ଜଣ କାମ କରୁଥିଲେ, ଏବେ ସେଠାରେ ଜଣେ କାମ କରୁଛନ୍ତି । ହସ୍ପିଟାଲରେ କୋଭିଡ଼ ଚିକିତ୍ସା ନେଇ ସରକାରଙ୍କ ନୂଆ ନିର୍ଦ୍ଦେଶ ଆସିଛି । ଏହା ଅନୁଯାୟୀ ଆମେ କାମ କରୁଛୁ । କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀଙ୍କ ଚିକିତ୍ସା ଲାଗି ହସ୍ପିଟାଲ ପରିସରରେ ସିଙ୍ଗଲ ୱିଣ୍ଡୋ ଟ୍ରିଟମେଣ୍ଟ ବ୍ୟବସ୍ଥା କରଯାଇଛି । ସେଠାରେ ରୋଗୀମାନେ ଟିକେଟ କାଟିବାଠୁ ଆରମ୍ଭ କରି ଚିକିତ୍ସା ଯାଏଁ ସବୁ ସୁବିଧା ପାଇପାରିବେ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡେପୁଟି ସୁପରିଟେଣ୍ଡେଣ୍ଟ ଡ. ଧନଞ୍ଜୟ ଦାସ ।
ଏପଟେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ । ଏଠାରେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ତେଣୁ ଅତି ଦରକାର ନଥିଲେ ରୋଗୀମାନେ ହସ୍ପିଟାଲକୁ ବାରମ୍ବାର ଆସନ୍ତୁ ନାହିଁ । ଯେଉଁମାନଙ୍କ ସାଧାରଣ ରୋଗ ରହିଛି, ସେମାନଙ୍କ ଲାଗି ଟେଲିମେଡିସିନ ସେବା ଆରମ୍ଭ ହୋଇଛି । ସେଠି ଯୋଗାଯୋଗ କରି ସେମାନେ ଔଷଧ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି ।