ଓଡିଶା

odisha

ETV Bharat / city

2024 ସୁଦ୍ଧା ସମସ୍ତଙ୍କ ଘରେ ଜଳ, ଓଡ଼ିଶାକୁ 3,323 କୋଟି କେନ୍ଦ୍ରୀୟ ଅନୁଦାନ - ଜଳ ଶକ୍ତି ମିଶନ

ଜଳଜୀବନ ମିଶନରେ ଓଡ଼ିଶାକୁ 3,323 କୋଟିର କେନ୍ଦ୍ରୀୟ ଅନୁଦାନ । ଆର୍ଥିକ ଆବଣ୍ଟନ ପରିମାଣ ଚାରିଗୁଣା ବୃଦ୍ଧି । ଅଧିକ ପଢନ୍ତୁ...

2024 ସୁଦ୍ଧା ସମସ୍ତଙ୍କ ଘରେ ଜଳ, ଓଡ଼ିଶାକୁ 3,323 କୋଟି କେନ୍ଦ୍ରୀୟ ଅନୁଦାନ
2024 ସୁଦ୍ଧା ସମସ୍ତଙ୍କ ଘରେ ଜଳ, ଓଡ଼ିଶାକୁ 3,323 କୋଟି କେନ୍ଦ୍ରୀୟ ଅନୁଦାନ

By

Published : Jul 11, 2021, 9:32 PM IST

ଭୁବନେଶ୍ବର: ଜଳ ଜୀବନ ମିଶନରେ ଓଡ଼ିଶାକୁ 2021-22 ଆର୍ଥିକ ବର୍ଷ ଲାଗି 3323.42 କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିଛି । 2020-21 ଆର୍ଥିକ ବର୍ଷରେ ଏହି ପରିମାଣ 812.15 କୋଟି ଟଙ୍କା ଥିଲା ଚଳିତ ବର୍ଷ ଏହା 4 ଗୁଣା ବୃଦ୍ଧି ପାଇଛି । ମାର୍ଚ୍ଚ 2024 ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ଟ୍ୟାପ ଯୋଗେ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ କହିଛନ୍ତି ।

2024 ସୁଦ୍ଧା ସମସ୍ତଙ୍କ ଘରେ ଜଳ, ଓଡ଼ିଶାକୁ 3,323 କୋଟି କେନ୍ଦ୍ରୀୟ ଅନୁଦାନ

2019 ଅଗଷ୍ଟ 15ରେ ରାଜ୍ୟରେ ଜଳ ଜୀବନ ମିଶନ ଆରମ୍ଭ ହେଇଥିବାବେଳେ ମାତ୍ର 3.10 ଲକ୍ଷ (3.63%) ପରିବାର ନିକଟରେ ଟ୍ୟାପ ଜଳ ସଂଯୋଗ ରହିଥିଲା । ବର୍ତ୍ତମାନ ସୁଦ୍ଧା 22.84 ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦିଆଯାଇଛି । ଫଳରେ ଓଡ଼ିଶାର ମୋଟ 85.66 ଲକ୍ଷ ପରିବାର ମଧ୍ୟରୁ ବର୍ତ୍ତମାନ 25.95 ଲକ୍ଷ ପରିବାର (30.3%) ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ରହିଛି । 2021-22ରେ ରାଜ୍ୟ 21.31 ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଦେବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି 2022-23ରେ 22.53 ଲକ୍ଷ ଏବଂ 2023-24ରେ 18.87 ଲକ୍ଷ ପରିବାରକୁ ଟ୍ୟାପ ପାଣି ସଂଯୋଗ ଯୋଗାଇ ଦେବା ନିମନ୍ତେ ଲକ୍ଷ୍ୟ ନିର୍ଦ୍ଧାରଣ କରାଯାଇଛି । ଯାହାଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ଜଳଯୋଗାଣ ଲକ୍ଷ୍ୟ ହାସଲ କରାଯାଇପାରିବ ।

2024 ସୁଦ୍ଧା ସମସ୍ତଙ୍କ ଘରେ ଜଳ, ଓଡ଼ିଶାକୁ 3,323 କୋଟି କେନ୍ଦ୍ରୀୟ ଅନୁଦାନ
ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ । ରାଜ୍ୟର ସବୁ ଜିଲ୍ଲାରେ ଟ୍ୟାପ ସଂଯୋଗ କାମ ତୁରନ୍ତ ଆରମ୍ଭ କରାଯିବା ଉଚିତ୍ । ଯାହାଫଳରେ ମାର୍ଚ୍ଚ 2024 ସୁଦ୍ଧା ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ଟ୍ୟାପ ପାଣି ସଂଯୋଗ ପହଞ୍ଚିପାରିବ । 2021-22 ଆର୍ଥିକ ବର୍ଷରେ ବାର୍ଷିକ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶାର ପଦକ୍ଷେପରେ ସହାୟତା କରିବା ଲାଗି କେନ୍ଦ୍ରୀୟ ଆବଣ୍ଟନକୁ ଚାରି ଗୁଣା ବୃଦ୍ଧି କରାଯାଇଛି । ବର୍ତ୍ତମାନ ରାଜ୍ୟ ଉପରେ 10.93 କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି । ରାଜ୍ୟର ଭାଗ 3,253 କୋଟି ଟଙ୍କାକୁ ମିଶାଇଲେ 2021-22ରେ ରାଜ୍ୟ ନିକଟରେ ଜଳ ଯୋଗାଣ କାର୍ଯ୍ୟ ନିମନ୍ତେ 6,596 କୋଟି ଟଙ୍କାର ପାଣ୍ଠି ଉପଲବ୍ଧ ରହିଛି । ତେଣୁ ପାଣ୍ଠି ଉପଲବ୍ଧତାରେ କୌଣସି ଅଭାବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ।ଗ୍ରାମାଞ୍ଚଳରେ ଜଳ ଯୋଗାଣ ପରିଚାଳନା ଏବଂ ସ୍ବଚ୍ଛତାରେ ସୁଧାର ଆଣିବା ନିମନ୍ତେ ପଞ୍ଚାୟତିରାଜ ଅନୁଷ୍ଠାନକୁ ପଞ୍ଚଦଶ ଅର୍ଥ ଆୟୋଗ ସଂଯୁକ୍ତ ଅନୁଦାନ ଆକାରରେ ଓଡ଼ିଶାକୁ 1,002 କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ଉତ୍ସରୁ 2025-26 ପର୍ଯ୍ୟନ୍ତ 5,280 କୋଟି ଟଙ୍କାର ଏକ ସୁନିଶ୍ଚିତ ଅନୁଦାନ ରହିଛି । ଓଡ଼ିଶାର ଗ୍ରାମାଞ୍ଚଳରେ ଏହି ବିପୁଳ ପରିମାଣର ନିବେଶ, ଆର୍ଥିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବ । ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ । ଏହା ମଧ୍ୟ ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବର୍ତ୍ତମାନ ରାଜ୍ୟର 47,412 ଗ୍ରାମ ମଧ୍ୟରୁ ମାତ୍ର 1184 ଗ୍ରାମରେ ଗ୍ରାମୀଣ ଜଳ ଓ ସ୍ବଚ୍ଛତା ସମିତି କିମ୍ବା ପାଣି ସମିତି ରହିଛି । ଏହି ଗୋଷ୍ଠୀଗୁଡ଼ିକର ଗ୍ରାମୀଣ ସ୍ତରରେ ଯୋଜନା, କାର୍ଯ୍ୟକାରିତା, ପାଞ୍ଚ ବର୍ଷୀୟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଜଳ ଯୋଗାଣ ବ୍ୟବସ୍ଥାର ପରିଚାଳନା ଓ ରକ୍ଷଣାବେକ୍ଷଣରେ ମଧ୍ୟ ଏମାନଙ୍କର ପ୍ରମୁଖ ଭୂମିକା ରହିଛି । ଏମାନଙ୍କ ଜରିଆରେ ରାଜ୍ୟର ପ୍ରତ୍ୟେକ ପରିବାର ବିଶେଷ କରି ଜଳ ସଙ୍କଟଗ୍ରସ୍ତ ପଶ୍ଚିମ ଓଡ଼ିଶାରେ ସବୁ ପରିବାର ନିକଟରେ ସ୍ବଚ୍ଛ ଟ୍ୟାପ ଜଳଯୋଗାଣ ସୁନିଶ୍ଚିତ ହୋଇପାରିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details