ଭୁବନେଶ୍ବର: ପଙ୍କରୁ ପଦ୍ମ ଫୁଟିବା ଭଳି ବଡମ୍ବା ବ୍ଲକ ମାଣିଆବନ୍ଧ ଗାଁର ଏକ ଅତି ଗରିବ ପରିବାରରେ ଜନ୍ମ ହୋଇଥିବା ଦୀପକ କୁମାର କରନ ଆଜି ସାରା ଭାରତ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଇଣ୍ଟରନ୍ୟାସନାଲ ୟୁନିୟନ ଅଫ ଜିଓଡେସି ଆଣ୍ଡ ଜିଓଫିଜିକ୍ସ ତାଙ୍କୁ ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ ଜିଓମାଗ୍ନାଟିଜିମ ଆଣ୍ଡ ଏରୋନୋମି (IAGA) ୟଙ୍ଗ ସାଇଣ୍ଟିଷ୍ଟ ପୁରସ୍କାରରେ ସମ୍ମାନିତ କରିଛି । ଏହି ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଦୀପକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ଓଡିଶା ଗର୍ବିତ ବୋଲି କହିଛନ୍ତି ।
ଚଳିତ ବର୍ଷ ଏହି ପୁରସ୍କାର ଚାରି ଜଣକୁ ମିଳିଛି । ଋଷିଆରୁ ଦୁଇ ଜଣ, ୟୁକେରୁ ଜଣେ ଓ ଭାରତରୁ ଦୀପକଙ୍କୁ ମିଳିଛି ଏହି ସମ୍ମାନ । ଦୀପକ ପ୍ରଥମ ଭାରତୀୟ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି । ନିକଟରେ କାନାଡା, ମାଣ୍ଟ୍ରିୟଲ ଠାରେ ଏହି ସମ୍ମାନ ଦିଆଯାଇଛି । ଏହି ପୁରସ୍କାର ପାଇବା ପାଇଁ ତାଙ୍କୁ ଇଣ୍ଟରନ୍ୟାସନାଲ ସିମ୍ପୋଜିୟମ ଅନ ଇକ୍ବାଟୋରିଆଲ ଏରୋନୋମି ମନୋନୀତ କରିଥିଲା । 2018 ଅକ୍ଟୋବରରେ ଅହମଦାବାଦର ରିସର୍ଚ୍ଚ ଲାବ୍ରୋଟୋରୀ ଠାରେ ଆୟୋଜିତ 15ତମ ଇଣ୍ଟରନ୍ୟାସନାଲ ସିମ୍ପୋଜିୟମ ଅନ ଇକ୍ବାଟୋରିଆଲ ଏରୋନୋମିରେ ଦୀପକଙ୍କ ବେଷ୍ଟ ୟଙ୍ଗ ସାଇଣ୍ଟିଷ୍ଟ ପେପର ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।
ବର୍ତ୍ତମାନ ଦୀପକ ପୃଥିବୀର ଉପରିଭାଗ ବାୟୁମଣ୍ଡଳର ପରୀକ୍ଷା ପାଇଁ NASAର GOLD (ଗ୍ଲୋବାଲ ସ୍କେଲ ଅବଜରଭେସନ ଅଫ ଦ ଲିମ୍ବ ଆଣ୍ଡ ଡିସ୍କ) ମିଶନରେ ରିସର୍ଚ୍ଚ ଆସୋସିଏଟ ଭାବେ କାର୍ଯ୍ୟରତ ।