ଭୁବନେଶ୍ବର: କଂଗ୍ରେସ ଭବନରେ ପିସିସି ମୁଖପାତ୍ର ପଦ୍ମାକର ଗୁରୁ ସାମ୍ବାଦିକ ସମ୍ମିଳନୀରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଏନ୍ଡିଏ ସରକାର ଓ ଓଡ଼ିଶାର ନବୀନ ସରକାରଙ୍କ କୃଷକମାରଣ ନୀତି ଉପରେ ଘୋର ବର୍ଷିଛନ୍ତି । ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ ଲଗାତାର ମିଥ୍ୟା ପ୍ରତିଶ୍ରୁତି ଦେଇଆସୁଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ମୁଖାର ପର୍ଦାଫାସ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି ।
ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନା ଓ କେନ୍ଦ୍ର ସରକାରଙ୍କ ‘ପିଏମ କିଷାନ’ ଯୋଜନା ଯେ, ଫେଲ୍ ମାରିଛି ଏହା ସ୍ପଷ୍ଟ ଅନୁମେୟ । କେନ୍ଦ୍ରର NDA ସରକାର ୨୦୧୬ ଏପ୍ରିଲରେ ଆନ୍ତଃମନ୍ତ୍ରାଳୟ କମିଟି ଗଠନ କଲେ । କମିଟି ୨୦୧୮ ସେପ୍ଟେମ୍ବର ଏ ସଂକ୍ରାନ୍ତରେ ସବିଶେଷ ରିପୋର୍ଟ କେନ୍ଦ୍ରସରକାରଙ୍କୁ ଦେଲା । ୨୦୨୨ ସୁଦ୍ଧା ସମଗ୍ର ଦେଶରେ ଋଷୀଙ୍କ ଆୟ ୨ ଗୁଣ ବୃଦ୍ଧି କରିବାକୁ ଯେଉଁ ରଣନୀତି କେନ୍ଦ୍ରସରକାର ନେଉଛନ୍ତି, ଏହା କେବଳ ମିଥ୍ୟା ପ୍ରଚାର ଓ ପ୍ରସାର ନିମନ୍ତେ ଉଦ୍ଦିଷ୍ଟ ବୋଲି କହିଛନ୍ତି ପଦ୍ମାକର ଗୁରୁ ।
ଶତାଧିକ ଚାଷୀ ସଂଗଠନର ବର୍ଷାଧିକ ନିରନ୍ତର ଆନ୍ଦୋଳନ, ପ୍ରତିବାଦ ଓ ବିକ୍ଷୋଭକୁ କଂଗ୍ରେସ ଦଳ ସମର୍ଥନ କରିଛି । ଶେଷରେ ମୋଦି ସରକାର ମୁଣ୍ଡ ନୂଆଁଇବା ସହ ୩ଟି କଳା କୃଷି ଆଇନକୁ ବାଧ୍ୟହୋଇ ବାତିଲ କରିଛନ୍ତି । ଏହାପୂର୍ବରୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ ଲଖୀମପୁର ଖେରୀ ଘଟଣାରେ ଯେଉଁ ନାରକୀୟ କାଣ୍ଡ କଲେ ଏହା ସର୍ବାଦୌ ନିନ୍ଦନୀୟ ଓ ସରକାରଙ୍କ ଚାଷୀଙ୍କ ପ୍ରତି କେତେ ଭଲ ପାଇବା ଅଛି ତାହା ଅନୁମେୟ ବୋଲି କହିଛି କଂଗ୍ରେସ । ନବୀନବାବୁଙ୍କ ଅମଳରେ ବର୍ଷକୁ ବର୍ଷ ଚାଷୀମାନେ ଆତ୍ମହତ୍ୟା କରିବା ଘଟଣା ବୃଦ୍ଧି ପାଇବା, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରିବାରେ ଅସମର୍ଥତା, କୃଷିଋଣ ଛାଡ଼ କରିବା, ଜମିକୁ ପାଣି ଓ ବିଜୁଳି ସଂଯୋଗରେ ମନ୍ଥରତା, ମଣ୍ଡିରେ ଖାଦ୍ୟଶସ୍ୟ ସଠିକ ସମୟରେ କ୍ରୟ ନକରିବା ଆଦି ଚରମସୀମା ଲଙ୍ଘନ କରିଛି ବୋଲି ସେ ନବୀନ ସରକାରଙ୍କ ଋଷୀକୂଳ ପ୍ରତି କେତେ ଦରଦ ବୋଲି ପ୍ରଶ୍ନ କରିଛନ୍ତି ପଦ୍ମକର ଗୁରୁ ?