କଟକ:ବହୁ କସରତ ପରେ ବିନା ପରୀକ୍ଷାରେ ମାଟ୍ରିକ ପରୀକ୍ଷା ଫଳ ବାହାରିଲା । ଚଳିତ ବର୍ଷ 97.89 ପ୍ରତିଶତ ଫଳାଫଳ ପରେ ବି ସନ୍ତୁଷ୍ଟ ନାହାନ୍ତି ଛାତ୍ରଛାତ୍ରୀ । ମୂଲ୍ୟାୟନ ପ୍ରକ୍ରିୟାର ସ୍ବଚ୍ଛତା ଓ ବୋର୍ଡର ପକ୍ଷପାତିତାକୁ ନେଇ ଉଠିଛି ପ୍ରଶ୍ନ । ଏନେଇ ଗତକାଲି ଦିନ ତମାମ ବୋର୍ଡ ଅଫିସ ଘେରାଉ କରିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏ ସମସ୍ୟା ନେଇ ଆଜି(ମଙ୍ଗଳବାର) ପୂର୍ବାହ୍ନରେ ପ୍ରେସମିଟ କରିବ ମାଧ୍ୟମିକ ଶିକ୍ଷା ପରିଷଦ ।
ସୂଚନାଅନୁସାରେ, ଗତ 25 ତାରିଖରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । କୋରୋନା ମହାମାରୀ ପାଇଁ ଏ ବର୍ଷ ମାଟ୍ରିକ ପରୀକ୍ଷାକୁ ବାତିଲ କରାଯାଇଥିଲା । ନବମ ଶ୍ରେଣୀ ପରୀକ୍ଷା ଓ ଦଶମର 3ଟି ପ୍ରାକ୍ଟିସ ପରୀକ୍ଷାକୁ ଆଧାର କରି ମାଟ୍ରିକ ମୂଲ୍ୟାୟନ କରାଯିବାକୁ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁସାରେ ସମସ୍ତ ପ୍ରକ୍ରିୟାରେ ରେଜଲ୍ଟ ପ୍ରକାଶ ପାଇଥିଲା । ହେଲେ ପ୍ରକାଶିତ ରେଜଲ୍ଟରେ ଅସନ୍ତୁଷ୍ଟ ଅଛନ୍ତି ଛାତ୍ରଛାତ୍ରୀ ।
ମୂଲ୍ୟାୟନ ପ୍ରକ୍ରିୟାର ସ୍ବଚ୍ଛତା ଓ ବୋର୍ଡର ପକ୍ଷପାତିତା ଉପରେ ଏବେ ରାଜ୍ୟବ୍ୟାପୀ ପ୍ରଶ୍ନ ଉଠିଛି । ଅଭିଭାବକଙ୍କଠାରୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି । ପରୀକ୍ଷା ଫଳରେ ମନମୁଖୀ ହୋଇ ମାର୍କ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏ ନେଇ ରାଜ୍ୟର କୋଣଅନୁକୋଣରେ ଆନ୍ଦୋଳନ ହେବାକୁ ଲାଗିଲାଣି । କେଉଁଠି ମୂଲ୍ୟାଙ୍କନକୁ ବିରୋଧ କରି ପୁନଃ ମୁଲ୍ୟାଙ୍କନ ଦାବି ତ ଆଉ କେଉଁଠି ବୋର୍ଡ କାର୍ଯ୍ୟାଳୟ ଆଗରେ ଧାରଣା । ଏପରି ସ୍ଥଳେ ମୂଲ୍ୟାଙ୍କନ ପ୍ରକିୟା ଓ ବୋର୍ଡର ପରିଚାଳନା ଉପରେ ସିଧାସଳଖ ପ୍ରଶ୍ନ ଉଠିଛି । ଗତ 4 ବର୍ଷର ଛାତ୍ରଛାତ୍ରୀମାନଙ୍କ ପ୍ରଦର୍ଶନ ଭିତ୍ତିରେ ମୁଲ୍ୟାଙ୍କନ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
ଏ ସମସ୍ୟାକୁ ନେଇ ଆଜି ପୂର୍ବାହ୍ନରେ ପ୍ରେସମିଟ କରିବ ମାଧ୍ୟମିକ ଶିକ୍ଷା ପରିଷଦ । ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରେସମିଟ ହେବା ନେଇ ସୂଚନା ମିଳିଛି । ଉପୁଜିଥିବା ସମସ୍ୟାର କଣ ସମାଧାନ ବାହାରୁଛି ତାହା ଉପରେ ସମସ୍ତଙ୍କ ନଜର ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ