ଭୁବନେଶ୍ବର: ଆପଣ କୋଭିଡ୍ କଟକଣା ଉଲ୍ଲଙ୍ଘନ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କୋଭିଡ ନିୟମ ଭାଙ୍ଗିବା ଆପଣଙ୍କୁ ପଡିପାରେ ମହଙ୍ଗା । ଫାଇନ ସହିତ ଆପଣଙ୍କ ବିରୋଧ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏମିତି କି ଆପଣଙ୍କ ଅନୁଷ୍ଠାନକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରାଯିବ ସିଲ । ଶିକ୍ଷାନୁଷ୍ଠାନ ହେଉ ଅବା ସ୍ବାସ୍ଥ୍ୟ ଅନୁଷ୍ଠାନ । ସମସ୍ତଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏ ନେଇ ରାଜ୍ୟ ସରକାର ଓ ଭୁବନେଶ୍ବର ମହାନଗର ନିଗମ କମିଶନର ଦେଇଛନ୍ତି ନିର୍ଦ୍ଦେଶ ।
ଏନେଇ ସହରର ବିଭିନ୍ନ ଗଳିକନ୍ଦିରେ ବୁଲୁଛି ବିଏମସିର ଟିମ । ନିୟମ ଉଲ୍ଲଂଘନ କରୁଥିଲେ ଆକ୍ସନ ଅନ ଦ ସ୍ପଟ । ଆଜି ସେମିତି କିଛି ଦେଖିବାକୁ ମିଳିଛି ୟୁନିଟ-3 ଅଞ୍ଚଳରେ । କୋଭିଡ କଟକଣାକୁ ଫୁ କରୁଥିବା ଅନୁଷ୍ଠାନକୁ ସିଲ କରିଛି ବିଏମସି । କୋଭିଡ କଟକଣାକୁ ଉଲଂଘନ କରି ଅଫଲାଇନ ପରୀକ୍ଷା କରୁଥିଲା ୟୁନିଟ୍-୩ ସ୍ଥିତ ଭାରତୀୟ ବିଦ୍ୟାଭବନ । ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ଅନୁଷ୍ଠାନ ଉପରେ ରେଡ଼ କରିଥିଲା ବିଏମସି ଓ ବିଡିଏର ଏନ୍ଫୋର୍ସମେଣ୍ଟ ଟିମ । କୋଭିଡ ନିୟମ ଉଲଂଘନ ଦର୍ଶାଇ ଅନୁଷ୍ଠାନକୁ ସିଲ କରିଛି ବିଏମସି । ଏହା ସହ ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଏମସି ।