ଭୁବନେଶ୍ବର :ଆଉ କିଛିଦିନ ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା । ମା'ଙ୍କର ଆଗମନକୁ ନେଇ ଏବେଠୁ ଉତ୍ସବମୁଖର ହେଲାଣି ରାଜଧାନୀ । ତେଣୁ ମା'ଙ୍କର ପୂଜା ବା ଦୁର୍ଗାପୂଜାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ବିଏମସିର ପକ୍ଷରୁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏନେଇ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ବୈଠକରେ ଦୁର୍ଗା ପୂଜା ପୂର୍ବରୁ ରାସ୍ତା ମରାମତି, ଡ୍ରେନେଜ, ସ୍ୱରେଜ ବ୍ୟବସ୍ଥା ସଜାଡ଼ିବା ସହ ରାସ୍ତା ଲାଇଟ ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର । ସେହିପରି ଖାଲଖମା, ରାସ୍ତା ମରାମତି ଉପରେ ବିଏମସିର ଅଧିକ ଗୁରୁତ୍ୱ ରହିଛି । ଚଳିତ ବର୍ଷ ୧୭୮ଟି ମଣ୍ଡପରେ ପୂଜା ପାଇବେ ମା' । ଦୁଇ ବର୍ଷ ପରେ ପୂଜା ହେଉଥିବାରୁ ସବୁ ମଣ୍ଡପ ଗୁଡିକ ଜାକଜମକରେ ପୂଜା କରିବାକୁ ମିଳିଛି ଅନୁମତି । ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡି କରିବାସହ ମେଲଣ ଓ ମୀନାବଜାର ପାଇଁ ମଧ୍ୟ ମିଳିଛି ଅନୁମତି ।
ଏହା ମଧ୍ୟ ପଢ଼ନ୍ତୁ: ପାର୍ବଣ ପୂର୍ବରୁ ଚମକିବ କଟକ: ମେୟର
ଭସାଣୀ ଶୋଭଯାତ୍ରା ପ୍ରତିବର୍ଷ ଯେଉଁଭଳି ହୁଏ ତା ଠାରୁ ଅଧିକ ଜାକଜମକରେ କରିବାକୁ ବିଏମସି ପକ୍ଷରୁ ମିଳିଛି ଅନୁମତି । ସେପଟେ ପୂଜା ସମୟରେ ବିଭିନ୍ନ ଫୁଡ୍ ଷ୍ଟଲ ଥାଏ । ବିଭିନ୍ନ ଫୁଡ୍ ଷ୍ଟଲରେ କିଭଳି ମିଳିବ ହାଇଜିନିକ ଖାଦ୍ୟ ସେଥିପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ୭ଜଣିଆ ଫୁଡ ଇନ୍ସପେକ୍ଟର ଟିମ ଯାଞ୍ଚ କରିବେ ଖାଦ୍ୟର ମାନ । ଆବଶ୍ୟକତା ପଡିଲେ ଦୋକାନୀ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କହିଛନ୍ତି ବିଏମସି କମିଶନର ।
ସେହିପରି ରାବଣ ପୋଡ଼ି ପାଇଁ କମିଶନରେଟ ପୋଲିସ ଦେବ ଅନୁମତି । ପୂଜାରେ ଯେଉଁ ମେଲୋଡ଼ି ବା ସାସ୍କୃତିକ କାର୍ଯ୍ୟକ୍ରମ ହୁଏ ସେଥିପାଇଁ ୧୦ ଟା ବଦଳରେ ୧୨ ଟା ଯାଏଁ ସମୟ ଦିଆଯାଇଛି । ଆଉ ଭସାଣି ମଧ୍ୟ ହେବ ବୋଲି ସମସ୍ତ ବିଭାଗ ସହ ସମନ୍ବୟ ରଖି ସୁଚାରୁ ରୂପେ ପୂଜା ପରିଚାଳନା ହେବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।