ଭୁବନେଶ୍ବର:ଆକ୍ସନ ମୋଡରେ ବିଏମସି । ରାଜଧାନୀର ବିଭିନ୍ନ ଫୁଡ ଷ୍ଟଲ ବୁଲି ଖାଦ୍ୟର ମାନ ଯାଞ୍ଚ କରୁଛି । ଗତକାଲି ପଟିଆ ଅଞ୍ଚଳରେ ବିଏମସି କମସନରଙ୍କ ଅଚାନକ ଚଢ଼ାଉ କରାଯାଉଛି । ବିଭିନ୍ନ ଫୁଡ ଷ୍ଟଲର ସ୍ଵଚ୍ଛତା ଓ ଅପମିଶ୍ରଣକୁ ନେଇ ବିଏମସି କମିଶନର ଏବଂ ଖାଦ୍ୟ ନିରାପତ୍ତା ଟିମ ଏହି ଚଢାଉ କରିଛନ୍ତି । ବାସି ଓ ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗରେ ପଟିଆ ଅଞ୍ଚଳର ୪ଟି ଫୁଡ଼ ଷ୍ଟଲକୁ ସିଲ କରାଯାଇଛି । ବର୍ଗର କିଙ୍ଗ, ସାରଳା ସୁଇଟ ଷ୍ଟଲ କ୍ୟାଫେ, ଓଡିଶା, ଜୟଗୁରୁ ଓମ୍ଫେଡ ଆଦିକୁ ସିଲ କରିବା ସହ ଫାଇନ ଆଦାୟ କରାଯାଇଛି ।
ପାର୍ବଣ ଋତୁରେ ଖାଦ୍ୟର ମାନ ଯାଞ୍ଚ କରିବାକୁ ଭୁବନେଶ୍ୱର ୫ଟି ଖାଦ୍ୟ ନିରାପତ୍ତା ସ୍କାର୍ଡ ଗଠନ କରାଯାଇଛି । ଆଗକୁ ଦଶହରା ଓ ଦୀପାବଳୀ ଆସୁଥିବାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ନିୟମିତ ଚେକିଂ ହେବ । ଏହାସହ ଅଚାନକ ଚଢ଼ାଉ ପାଇଁ ଟିମ୍ ଗଠନ କରାଯାଇଛି । ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟବସାୟୀଙ୍କୁ ଫାଇନ ସହ ଦୋକାନ ବନ୍ଦ ଭଳି ନିର୍ଦ୍ଦେଶ ଦିଆଯାଇଛି। ଚଢ଼ାଉ ବେଳେ ବିଏମସି କମିଶନରଙ୍କ ସହ ଫୁଡ ଏନଫୋର୍ସମେଣ୍ଟ ଟିମ ଉପସ୍ଥିତ ଥିଲେ । ବାସି ସିରା ପାଣି ଗୁଡିକ ନଷ୍ଟ କରି ମାନ ପରୀକ୍ଷା ପାଇଁ ଫୁଡ ଟେଷ୍ଟିଂ ଲାବୋରୋଟାରୀକୁ ପଠାଯାଇଛି । ଯେକୌଣସି ସ୍ଥାନରେ ଖାଦ୍ୟର ମାନ ଖରାପ ଥିଲେ ବିମସିକୁ ଅଭିଯୋଗ କରନ୍ତୁ ବୋଲି ରାଜଧାନୀ ବାସୀଙ୍କୁ ବିଏମସି କମିଶନର ନିବେଦନ କରିଛନ୍ତି ।
ଅନ୍ୟପଟେ ବୁଧବାର ଭୁବନେଶ୍ୱରର ପ୍ରସିଦ୍ଧ କିଶୋର ଭାଇନା ମଟନ ଦୋକାନରେ ଭୁବନେଶ୍ୱର ମହାନଗର ନିଗମ ଖାଦ୍ୟ ନିରାପତ୍ତା ଟିମ ଚଢ଼ାଉ କରିଥିଲା । ଖରାପ କଙ୍କଡା ଜବତ କରିବା ସହିତ ଏକ୍ସପାଏରି ସସ ଏବଂ ଖାଦ୍ୟରେ ପଡୁଥିବା ରଙ୍ଗ ଜବତ ହୋଇଥିଲା । ଖାଦ୍ୟର ମାନ ଏବଂ ଖରାପ ପରିବେଶରେ ଏହା ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ହାଣ୍ଡି ହାଣ୍ଡି ତରକାରୀ ନଷ୍ଟ କରିଦେଇଥିଲା । ଫୁଡ୍ ଲାଇସେନ୍ସ ବାତିଲ ହୋଇଥିବାରୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇନଥିଲା । ବିନା ଲାଇସେନ୍ସରେ ଢାବା ଖୋଲିଲେ ଅପରାଧିକ ମାମଲା ରୁଜୁ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା ।