ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ଭୁବନେଶ୍ବର ମହାନଗର ନିଗମ(BMC) ପକ୍ଷରୁ ପ୍ରସ୍ତୁତି ବୈଠକ । ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଆଜି(ସୋମବାର) ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଗୁରୁତ୍ବପୂର୍ଣ୍ଣ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ବାତ୍ୟା ଆସିଲେ କିପରି ଏହାର ମୁକାବିଲା କରାଯିବ ସେନେଇ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯାଇଛି । ତଳିଆ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ସହ ବସ୍ତି ଲୋକଙ୍କୁ ସୁରକ୍ଷା, ଶୁଖିଲା ଓ ରନ୍ଧା ଖାଦ୍ୟ ତୁରନ୍ତ ଯୋଗାଇ ଦିଆଯିବ । ବାତ୍ୟା ପରେ ତୁରନ୍ତ ରାସ୍ତା ସଫା ଓ ବିଦ୍ଯୁତ ସଂଯୋଗ କରିବାକୁ ନେଇ ସ୍ଥିର ହୋଇଛି ।
ମଖ୍ୟତଃ ବାତ୍ୟା ପୂର୍ବର ଓ ପରବର୍ତ୍ତୀ ପରିସ୍ଥିତି ମୁକାବିଲା, ଉଦ୍ଧାର, ସ୍ଥାନାନ୍ତର କିପରି ହେବ ଆଲୋଚନା ହୋଇଛି । ବାତ୍ୟା ପୂର୍ବରୁ ବସ୍ତି ବାସିନ୍ଦା ଓ ନିରାଶ୍ରୟଙ୍କୁ ସେଲଟର୍ ହୋମରେ(ଆଶ୍ରୟସ୍ଥଳୀ) ଥଇଥାନ ପ୍ରାଥମିକତା ସମ୍ବଦ୍ଧୀୟ ଆଲୋଚନା ହୋଇଥିଲା । ବାତ୍ୟା ପରେ ବିଜୁଳି ଭିତ୍ତିଭୂମି ମରାମତି, ପିଇବା ପାଣି ଯୋଗାଣ, ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ, ରାସ୍ତା ସଫେଇ, ଉପୁଡ଼ି ପଡିଥିବା ଗଛ କାଟିବା, ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ଉପରେ ଗୁରୁତ୍ଵ ଦିଆଯାଇଛି ।