ଭୁବନେଶ୍ବର: ମହାମାରୀ କୋରୋନାର ଦ୍ବିତୀୟ ଲହରୀ ଥମିଥିବାବେଳେ ତୃତୀୟ ଲହରୀକୁ ନେଇ ଏବେ ବି ଆଶଙ୍କା ଲାଗିରହିଛି । ଶୀତ ଋତୁରେ କୋଭିଡ ସଂକ୍ରମଣ ଆଶଙ୍କା ଅଧିକ ରହିଥିବାରୁ ଭୁବନେଶ୍ବର ମହାନଗର ନିଗମ(BMC) ଜାରି କରିଛି ନୂଆ ଗାଇଡଲାଇନ । ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟା ପାଇଁ ଗାଇଡଲାଇନରେ ସର୍ବାଧିକ 50ଜଣ ସାମିଲ ହେବା ନେଇ ସର୍ତ୍ତାବଳୀ ରଖାଯାଇଛି। ଏହି ନୂତନ ଗାଇଡଲାଇନ ମଙ୍ଗଳବାରଠାରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିସନର ସଞ୍ଜୟ ସିଂ ।
ନୂଆ ଗାଇଡଲାଇନ ଅନୁସାରେ, ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣ ସାମିଲ ହେବା ପାଇଁ ଅନୁମତି ମିଳିବ । କାର୍ଯ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ । କେବଳ ଖାଇବା ସମୟ ଛଡ଼ା ଅନ୍ୟ ସବୁଠି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଗାଇଡଲାଇନ ଉଲ୍ଲଙ୍ଘନ ହେଲେ ଆୟୋଜକ ଓ ହଲ୍ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।