ଭୁବନେଶ୍ବର:ଆଜି ରାଜଧାନୀ ବ୍ୟବସାୟୀଙ୍କୁ ୩୮ କିଓସ୍କ ହସ୍ତାନ୍ତର କଲା ବିଏମ୍ସି । ଫଳରେ ଯେଉଁମାନଙ୍କୁ ଯେଉଁଠି କିଓସ୍କ ମିଳିଛି, ସେମାନେ ସେଠାରେ ହିଁ ବ୍ୟବସାୟ କରିବେ ବୋଲି କହିଛନ୍ତି ବିଏମସି କମିସନର । ଏହାକୁ ବ୍ୟବସାୟୀ କାହାକୁ ଭଡ଼ା ଦେଇପାରିବେ ନାହିଁ କି ବିକ୍ରି ମଧ୍ୟ କରିପାରିବେ ନାହିଁ । ଯେଉଁମାନେ ଏହି ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବ୍ୟବସାୟୀଙ୍କୁ ବିଏମ୍ସି ଚେତାଇ ଦେଇଛି ।
କାରଣ ବହୁ ବାଦ ବିବାଦରେ ଫସିଥିବା ୩୮ଟି ସ୍ମାର୍ଟ କିଓସ୍କକୁ ବିଏମ୍ସି ଆଜି ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରିଛି। ସ୍ମାର୍ଟସିଟି ପ୍ରକଳ୍ପ ଅଧୀନରେ ଜନପଥରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ (ବିଏସ୍ସିଏଲ୍) ୨୩୧ଟି କିଓସ୍କ ପ୍ରସ୍ତୁତ କରି ବିଏମ୍ସିକୁ ହସ୍ତାନ୍ତର କରିଥିଲା । ବିଭିନ୍ନ ପର୍ଯ୍ୟାୟରେ ୧୭୭ଟି କିଓସ୍କ ବଣ୍ଟା ଯାଇଥିଲା । ଏବେ ଏହି ୩୮କୁ ମିଶାଇ ସମୁଦାୟ ୨୧୫ଟି ବ୍ୟବସାୟୀଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ଆଉ ୧୬ଟି କିଓସ୍କ ବଣ୍ଟାଯିବାକୁ ରହିଛି। ମାଲିକାନା ଓ ଅନ୍ୟାନ୍ୟ ବିବାଦକୁ ନେଇ ଏହି ୧୬ଟି କିଓସ୍କକୁ ଏଣେତେଣେ ବସୁଥିବା ବ୍ୟବସାୟୀଙ୍କୁ ଚିହ୍ନଟ କରାଯାଇ ବ୍ୟବସାୟ କରିବା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା । ହେଲେ ବ୍ୟବସାୟୀମାନେ ଏଠାରୁ ସ୍ଥାନାନ୍ତର ହୋଇଯିବା ପରେ ସେମାନେ ବସୁଥିବା ମୂଳ ସ୍ଥାନକୁ ଉଚ୍ଛେଦ କରାଯିବ ବୋଲି କହିଛନ୍ତି କମିସନର ସଂଜୟ କୁମାର ସିଂହ।