ଭୁବନେଶ୍ବର:ଆଉ ଦୁଇ ମାସ ପରେ ଶେଷ ହେବ ୨୦୨୦-୨୧ ଆର୍ଥିକ ବର୍ଷ । ଏନେଇ ବିଏମସିର ଚିନ୍ତା ବଢାଇଛି ଟିକସ ଖିଲାପକାରୀ । ପ୍ରାୟ 804 ଜଣ ବଡ ବଡ ଟିକସ ଖିଲାପକାରୀ ଏବେ ବିଏମସିର ନିଦ ହଜାଇଛନ୍ତି । ବକେୟା ପଡିରହିଛି 43.5 କୋଟିରୁ ଅଧିକ ଟିକସ ଟଙ୍କା । ଏଣୁ ଖିଲାପକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମ ତାଲିକା ବିଭିନ୍ନ ସ୍ଥାନରେ ବଡ ବଡ ହୋର୍ଡିଙ୍ଗ ସହ ମରାଯାଇଛି । ତେବେ ଏହି ବକେୟା ଟିକସ ଆଦାୟର ଗୁରୁ ଦାୟିତ୍ବ ବିଏମସି ଟିଜି ସ୍ବୀକୃତି ନାମକ ଏକ କିନ୍ନର ଗୋଷ୍ଠୀକୁ ଦେଇଛି ଏବଂ ଗୁରୁବାରଠାରୁ ଏହି ଗୋଷ୍ଠୀ ରାଜସ୍ବ ଆଦାୟ ଆରମ୍ଭ କରିଛନ୍ତି ।
କୋରୋନା ପୂର୍ବରୁ ଏହି କିନ୍ନର ଗୋଷ୍ଠୀ ଦୁଇ କୋଟିରୁ ଅଧିକ ରାଜସ୍ବ ଆଦାୟ କରି ସଫଳତା ହାସଲ କରିଥିଲେ । କୋରୋନା କଟକଣା ଯୋଗୁଁ ରାଜସ୍ବ ଆଦାୟ ଦୀର୍ଘ ମାସ ଧରି ସ୍ଥଗିତ ଥିଲା । ଯାହାକୁ ଆଜିଠୁ ଆରମ୍ଭ କରାଯାଇଛି । ବିଏମସିର ନର୍ଥ ଜୋନ ଅନ୍ତର୍ଗତ ଓ୍ବାର୍ଡ ନମ୍ବର 3ରୁ ମୁଖ୍ୟତଃ ହୋଲଡିଂ ଟ୍ୟାକ୍ସ ଆଦାୟ ଆରମ୍ଭ ହୋଇଛି ।