ଭୁବନେଶ୍ବର: ବିଏମସି କମିଶନର ୱାର୍ଡ ନଂ ୪୫ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟକୁ ତଦାରଖ କରିଛନ୍ତି । କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଗୁରୁବାର ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳର ୪୫ ନମ୍ବର ୱାର୍ଡ ଅନ୍ତର୍ଗତ ଚିନ୍ତାମଣିଶ୍ବର ଓ ବରଗଡ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଚୌଧୁରୀ ୱାର୍ଡର ସମସ୍ତ ଯୋଜନାମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ୱାର୍ଡର ଲୋକଙ୍କ ସହ ଆଲୋଚନା କରିଛନ୍ତି ।
ପ୍ରଥମେ ଚୌଧୁରୀ ନିକଟସ୍ଥ ୱାର୍ଡର ଝାରପଡାସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଏମସିସି ପରିଚାଳନାର ସମୀକ୍ଷା କରିଥିଲେ । ଏହା ପରେ ସେ ବରଗଡ଼ ଶ୍ରୀଦେବୀ ଛକ ଠାରେ ୪୫ ନମ୍ବର ୱାର୍ଡର କାର୍ଯ୍ୟ ସମୀକ୍ଷା କରିଛନ୍ତି। ସହରୀ ମଜୁରୀ ରୋଜଗାର ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ସହ ୱାର୍ଡର ସମସ୍ତ କଂଜରଭାନସି ଲେନ୍ ଗୁଡ଼ିକର ଉନ୍ନତିକରଣ, ବିଶ୍ବନାଥ ନଗର ଠାରେ ବରିଷ୍ଠ ନାଗରିକଙ୍କ ନିମନ୍ତେ କମ୍ୟୁନିଟି ସେଣ୍ଟର, ମୁଖ୍ୟ ଡ୍ରେନ ନଂ ୬ ଠାରେ ବକ୍ସ କଲଭର୍ଟ ନିର୍ମାଣ, ଖୋଲା ଡ୍ରେନ ନିମନ୍ତେ ସ୍ଲାବ କଭର, ଚମ୍ପପୋଖରୀ ସ୍କୁଲ ନିକଟସ୍ଥ ଡ୍ରେନର ଉନ୍ନତିକରଣ ଭଳି ବହୁ ପ୍ରତୀକ୍ଷିତ ଦାବି ପରିପୂରଣ ନିମନ୍ତେ ବିସ୍ତୃତ ଯୋଜନା କରିବା ସହ ଏହାର ତୁରନ୍ତ ରୂପାୟନ ନିମନ୍ତେ ଦକ୍ଷିଣ ପୂର୍ବ ମଣ୍ଡଳର ଡେପୁଟି କମିଶନର ଅଂଶୁମାନ ରଥଙ୍କୁ ନିର୍ଦ୍ଦଶ ଦେଇଛନ୍ତି ।