ଭୁବନେଶ୍ବର: ରାଜ୍ୟରୁ ଦୃଷ୍ଟିହୀନତା ଦୂରୀକରଣ ଆଉ 10ଟି ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର ପ୍ରଚଳନ ହେବ । ଏଥି ସହିତ ୨୦୧୯-୨୦ ବର୍ଷରେ ଆଉ ୫୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍ସି)ରେ ମଧ୍ୟ ସ୍ଥାୟୀ ଚକ୍ଷୁ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଏହି ସୂଚନା ଦେଇଛନ୍ତି ।
ଏନେଇ ବୁଧବାର ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ ‘ସୁନେତ୍ର’ ଯୋଜନା ସମୀକ୍ଷା ଅବସରରେ ଏହା କହିଥିଲେ । ଏଥିସହ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମରେ ଚଳିତ ବର୍ଷ ୮,୧୪,୪୮୩ ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୨୫,୩୬୦ଜଣ ପିଲାଙ୍କର ଦୃଷ୍ଟିଶକ୍ତିର ସମସ୍ୟା ଥିବା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୮୯୨୯ ଜଣଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ରାଜ୍ୟର ବିଭିନ୍ନ ୧୮୩ ସିଏଚ୍ସିରେ ଗ୍ରାମାଞ୍ଚଳ ଲୋକଙ୍କୁ ଚକ୍ଷୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବାବେଳେ ଦୂର ଦୂରାନ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ଉନ୍ନତମାନର ଅନୁରୂପ ସୁବିଧା ଯୋଗାଇ ଦେବାପାଇଁ ଏମକେସିଜି ମେଡିକାଲ କଲେଜରେ ଏକ ଟେଲି ଅପ୍ଥାମଲୋଜି ନେଟୱାର୍କ କାର୍ଯ୍ୟ କରୁଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଏକ ରେଟିନା କେନ୍ଦ୍ର ମଧ୍ୟ କାର୍ଯ୍ୟକାରୀ ହୋଇଛି ।