ଭୁବନେଶ୍ବର: ରାଜ୍ୟର ଚାଷୀମାନଙ୍କ ବୃହତର ସ୍ବାର୍ଥକୁ ଦୃଷ୍ଟିରେ ରଖି କୃଷି ବିଭାଗ ଓ ସମବାୟ ସଚିବଙ୍କୁ ଭେଟିଛନ୍ତି ବିଜେପି କୃଷକ ସେଲ ଅଧ୍ୟକ୍ଷ ପ୍ରଦୀପ ପୁରୋହିତ । ଉଭୟ ସଚିବଙ୍କ ସମ୍ମୁଖରେ ସେ ୨ଟି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଧାନ ସଂଗ୍ରହ ରେଜିଷ୍ଟ୍ରେସନ୍ ଅବଧି ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କୃଷି ସଚିବଙ୍କ ନିକଟରେ ସେ ଦାବି କରିଛନ୍ତି । ରାଜ୍ୟରେ ସାରର କଳା ବଜାର ବଢିବା କାରଣରୁ ସରକାର ନିଷ୍କ୍ରିୟ ଥିବା ବେଳେ କଳାବଜାରୀ ସକ୍ରିୟ ବୋଲି ସେ କହିଛନ୍ତି ।
ଖରିଫ ଋତୁରେ ଧାନବିକ୍ରୀ ପାଇଁ ଚଳିତ ମାସ ୧୫ ତାରିଖରୁ ଚାଷୀମାନଙ୍କ ନାମ ପଞ୍ଜିକୃତ କରିବା କାର୍ଯ୍ୟ ରାଜ୍ୟର ସେବା ସମବାୟ ସୋସାଇଟିଙ୍କ ଜରିଆରେ ଆରମ୍ଭ ହୋଇଛି । ଏହି ସୋସାଇଟିଗୁଡିକରେ ଏବେ ଚାଷୀଙ୍କୁ ଋଣ ପ୍ରଦାନ, ଫସଲ ବୀମା ପ୍ରିମିୟମ ଟଙ୍କା ଜମା ଆଦି କାର୍ଯ୍ୟ ମଧ୍ୟ ଚାଲିଛି । ଅଧିକାଂଶ ସୋସାଇଟିରେ କର୍ମଚାରୀଙ୍କ ଘୋର ଅଭାବ ରହିଛି । ଗୋଟିଏ ମାସ ଭିତରେ ଯେତେ ଚାଷୀ ଧାନବିକ୍ରୀ ପାଇଁ ପଞ୍ଜିକୃତ କରିବା ପାଇଁ ଚାହିଁବେ ସମସ୍ତ ଚାଷୀ ପଞ୍ଜୀକୃତ କରିପାରିବା ଭଳି ସମ୍ଭାବନା ଦେଖାଯାଉନାହିଁ । ତେଣୁ ଧାନବିକ୍ରୀ ପାଇଁ ଚାଷୀଙ୍କ ପଞ୍ଜିକୃତ ଅବଧିକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଉ ବୋଲି ପ୍ରଦୀପ ଦାବି କରିଛନ୍ତି ।