ଭୁବନେଶ୍ବର: ଏସଆଇଟି କରିବ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ । ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲା ପରେ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ଏହି ଘଟଣାରେ ସିବିଆଇ ତଦନ୍ତ ହେବା ସହ ମନ୍ତ୍ରୀ ମଣ୍ଡଳରୁ ଅରୁଣ ସାହୁଙ୍କୁ ବହିଷ୍କାର କରାଯାଉ ବୋଲି ଦାବି ପୁଣି ଦୋହରାଇଲେ ପ୍ରଦୀପ୍ତ ନାଏକ ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ନେଇ ଅଭିଯୋଗ ଆଣିଛି ବିଜେପି । ଏସଆଇଟି ତଦନ୍ତ ନିର୍ଦ୍ଦେଶ ଅସ୍ପଷ୍ଟ ଥିବା କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏସଆଇଟି ନେଇ ନିର୍ଦ୍ଦେଶ ଅସ୍ପଷ୍ଟ । ଯଦି ଆବଶ୍ୟକ ହୁଏ ଏସଆଇଟି ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସେ ଅଭିଯୋଗ କରିଛନ୍ତି। ଆମର ଦାବି ରହିଥିଲା କୃଷି ମନ୍ତ୍ରୀ ବହିଷ୍କାର ଓ ସିବିଆଇ ତଦନ୍ତ । ତେଣୁ ଆମେ ଏ ପ୍ରସଙ୍ଗରେ ବିରୋଧ ଜାରି ରଖିବୁ ବୋଲି କହିଛି ବିଜେପି।
ଅନ୍ୟପଟେ ଏସଆଇଟି ତଦନ୍ତ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏନେଇ କଂଗ୍ରେସ ଦାବି କରିଥିଲା । କ୍ରାଇମବ୍ରାଞ୍ଚ ଉପରେ ଭରସା ନଥିବାରୁ ଏହି ଦାବି ହୋଇଥିଲା । ଜଣେ ହାଇକୋର୍ଟ ଜଜଙ୍କ ନେତୃତ୍ବରେ ଏସଆଇଟି ତଦନ୍ତ ହେଉ ବୋଲି କୁହାଯାଇଥିଲା । ବର୍ତ୍ତମାନ ଏସଆଇଟି ତଦନ୍ତ ଘୋଷଣା ହୋଇଥିବାରୁ ଆମେ ସନ୍ତୁଷ୍ଟ ବୋଲି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।