ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରୁ ପଠାଉଥିବା ଟଙ୍କା ଓଡିଆ ଲୋକଙ୍କ ସ୍ବାର୍ଥରେ ଲାଗୁ । ଏଥିପାଇଁ ଜନସଚେତନତା ନକଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ହୋଇଯିବ । ଏଣୁ କାର୍ଯ୍ୟକର୍ତ୍ତାମାନେ ଜାଗ୍ରତ ପ୍ରଭାରୀଭାବେ ପ୍ରଧାନମନ୍ତ୍ରୀ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଙ୍ଗଠନ ତିଆରି କରିବାର ଦାୟିତ୍ବ ଗ୍ରହଣ କରନ୍ତୁ । ଓଡିଶାରେ ବିଜେପି ସରକାର ନହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ନମିଳିବା ଯାଏଁ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମାନ, ଅପମାନ, ଅଭିମାନକୁ ଭୁଲି ସାଢେ ୪ କୋଟି ଓଡିଆଙ୍କ ଏକମାତ୍ର ଲକ୍ଷ୍ୟ ଭାବେ ଓଡିଶାକୁ ନୂଆ ଶିଖରକୁ ନେବା ପାଇଁ ସଂକଳ୍ପ ନିଅନ୍ତୁ ଓ ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନ୍ଦୋଳନ ଓ କାର୍ଯ୍ୟକ୍ରମ କରନ୍ତୁ । ଦଳୀୟ କର୍ମୀ ଓ ନେତାଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି କେନ୍ଦ୍ରୀୟ ବିଜେପି ନେତା ।
ଭର୍ଚୁଆଲ ରାଲି ଜରିଆରେ ରାଜ୍ୟ ବିଜେିର କର୍ମୀଙ୍କୁ ଦିଆଯାଇଥିଲା ଏଭଳି ଆହ୍ବାନ । ମହାମାରୀ କୋରୋନା ଯୋଗୁଁ ସାରା ଦେଶରେ ଲକଡାଉନ ଜାରି ହୋଇଥିବାରୁ ଡିଜିଟାଲ ଟେକ୍ନୋଲୋଜିର ନୂଆ ପ୍ଲାଟଫର୍ମ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ କରିଛି ବିଜେପି । ଆଉ ଏହି ଡିଜିଟାଲ ପ୍ଲାଟଫର୍ମର ନାଁ ରଖାଯାଇଛି ବିଜେପି ଭର୍ଚୁଆଲ ରାଲି । ସବୁ ବର୍ଗର କର୍ମୀଙ୍କ ସହ ଏଭଳି ଯୋଗାଯୋଗର ପ୍ରଚେଷ୍ଟା ଜାରି ରଖିଛି ଦଳ । ଭର୍ଚୁଆଲ ରାଲିରେ ମୋଦି ସରକାରଙ୍କ ସଫଳତା କଥା କୁହାଯାଉଥିବାବେଳେ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଦିଆଯାଉଛି ଆହ୍ବାନ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡିଶା ଜନସମ୍ବାଦ ରାଲିରେ ପ୍ରାୟ ୨୯ ଲକ୍ଷ ୫୦ ହଜାର ଲୋକ ଟେକ୍ନୋଲୋଜି ପ୍ଲାଟଫର୍ମରେ ଯୋଡିହୋଇଥିଲେ । ଓଡିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ କରିଛନ୍ତି । ଗରିବଙ୍କୁ ଉଭୟ ସାମାଜିକ ଓ ଆର୍ଥିକ ରୂପେ ବିକାଶ ପଥରେ ଆଗେଇ ନେବା ପାଇଁ ଗରିବ କଲ୍ୟାଣ ପ୍ୟାକେଜ ସହ ୨୦ ଲକ୍ଷ କୋଟି ଟଙ୍କାର ଆତ୍ମନିର୍ଭର ଭାରତ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହି ପ୍ୟାକେଜ ଦେଶର ଅଭିବୃଦ୍ଧି ହାର ତଥା ଜିଡିପିର ୧୦ ପ୍ରତିଶତ ଏବଂ ଏଭଳି କୋରୋନା ରିଲିଫ ପ୍ୟାକେଜ୍ ଘୋଷଣା କରିବାରେ ଭାରତ ତୃତୀୟ ଦେଶ ବୋଲି ଦାବି କରୁଛି ଦଳ ।