ଭୁବନେଶ୍ବର: ଆସନ୍ତାକାଲି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇବାକୁ ଯାଉଛି । ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ଯାଉଛି ବିଜେପି । ଏହା ଜାଣିବା ପରେ ବିଜେପି ନେତାମାନେ ହତାଶ ହୋଇ ପଡ଼ିଛନ୍ତି । ନିଜ ମୁଣ୍ଡରୁ ପରାଜୟର ଦୋଷ ଖସାଇବାକୁ ବିଭିନ୍ନ ଆଳ ଖୋଜୁଛି ବିଜେପି । ଏହା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ଯେ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି ବିଜେଡି ବିରୋଧରେ ଯେଉଁସବୁ କପୋଳକଳ୍ପିତ ଅଭିଯୋଗ ଆଣିଛନ୍ତି, ତାହା ହାସ୍ୟାସ୍ପଦ । କେବଳ ନିଜର ଅସ୍ତିତ୍ୱ ରକ୍ଷା ପାଇଁ ଏହା ଉଦ୍ଦିଷ୍ଟ ବୋଲି ରାଜ୍ୟବାସୀ ଭଲଭାବେ ଜାଣିଛନ୍ତି । ପୂର୍ବରୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେପି ପିପିଲି ଠାରୁ ନେଇ ଧାମନଗର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବାରମ୍ବାର ଯୋଜନାବଦ୍ଧ ଭାବେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲା । ଓଡ଼ିଶା ବିଜେପିର ପ୍ରରୋଚନାରେ ଯୋଜନାବଦ୍ଧ ଭାବେ ବିଜେଡି କର୍ମୀଙ୍କ ଠାରୁ ନେଇ ପୁଲିସ, ସାମ୍ବାଦିକ, ସରକାରୀ ଅଫିସର ଏବଂ ସାଧାରଣ ଜନତାଙ୍କ ଉପରେ ବର୍ବରୋଚିତ ଆକ୍ରମଣ କରାଯାଇଥିଲା ।