ଭୁବନେଶ୍ବର: ରାଜ୍ୟରେ ବିଜୁଳି ଦର ବୃଦ୍ଧି ପ୍ରତିବାଦରେ ବୁଧବାରଠୁ 7 ଦିନିଆ ଆନ୍ଦୋଳନ କରିବ ବିଜେପି । ସମସ୍ତ ବିଜୁଳି ଅଫିସ ଆଗରେ ଦଳ ଜୋରଦାର ବିକ୍ଷୋଭ କରିବ । ଏ ସମ୍ପର୍କରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଆଜି (ମଙ୍ଗଳବାର) ପ୍ରେସମିଟ କରି ସୂଚନା ଦେଇଛନ୍ତି ।
ବିଜୁଳି ଦର ବୃଦ୍ଧି, ଆସନ୍ତାକାଲିଠୁ 7 ଦିନିଆ ଆନ୍ଦୋଳନ କରିବ ବିଜେପି ରାଜ୍ୟରେ କୋରୋନା ମହାମାରୀ ସମୟରେ ଦୀର୍ଘ 17 ମାସ ଧରି ଭାରି କଷ୍ଟରେ ସମସ୍ତେ ଜୀବନଯାପନ କରୁଛନ୍ତି । ପ୍ରତି ପରିବାରର ଆର୍ଥିକ ସ୍ଥିତି ଦୋହଲି ଯାଇଛି । କିନ୍ତୁ ଏହି ସମୟରେ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ପରିଚାଳନା ଯୋଗୁଁ ବାରମ୍ବାର ବିଜୁଳି ଦର ବୃଦ୍ଧି ପାଉଛି । ପ୍ରତି ୟୁନିଟ ପିଛା 50 ପଇସାର ଦର ବୃଦ୍ଧି ସମସ୍ତଙ୍କୁ କଷ୍ଟ ଦେଉଛି । ଯେତେବେଳେ ସାରା ଭାରତରେ ATC ଲସ ଓ TDT ଲସ 18 ପ୍ରତିଶତ ରହିଛି, ହେଲେ ଓଡିଶାରେ 29.7 ଲସ ହେଉଛି । ଏହା ଦର୍ଶାଉଛି ଯେ ଓଡିଶାରେ ସରକାରଙ୍କର ସେବା କମ ଟିକସ ଅଧିକକୁ ଦର୍ଶାଉଛି ।
ଅନେକ ସମୟରେ ଅଘୋଷିତ ବିଦ୍ୟୁତ କାଟ ଯୋଗୁଁ ଜନସାଧାରଣ ଅସୁବିଧାରେ ପଡୁଛନ୍ତି । ପିଲାମାନେ ଅନଲାଇନରେ ପାଠ ପଢିବା ପାଇଁ ସମସ୍ୟାରେ ପଡୁଛନ୍ତି । କ୍ଷୁଦ୍ର ଶିଳ୍ପ ଗୁଡ଼ିକର ଅବସ୍ଥା ଶୋଚନୀୟ ହୋଇଛି । ଯାହାକି ରାଜ୍ୟ ସରକାରଙ୍କ ବିଦ୍ୟୁତ ନୀତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚାଷୀ, ଶିଳ୍ପ, ଅଣୁ ଶିଳ୍ପ ଉଦ୍ୟୋଗୀମାନେ ହଇରାଣ ହେଉଛନ୍ତି । ସରକାର ଶୀତଳ ଭଣ୍ଡାର ଗୁଡିକୁ ସବସିଡି ଦେବେ ବୋଲି କହିଥିଲେ । କିନ୍ତୁ ଦେଲେନାହିଁ । ତେଣୁ ଅନେକ ଶୀତଳ ଭଣ୍ଡାର ସମ୍ପୂର୍ଣ ବନ୍ଦ ହୋଇଗଲା ।
ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ବିଜେପି ବିଜୁଳି ଦର ବୃଦ୍ଧି ପାଇଁ ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଣିଥିଲା । ରାଜ୍ୟ ସରକାର ସ୍ବୀକାର ମଧ୍ୟ କରିଥିଲେ । ଏହାକୁ ନେଇ OERCକୁ ରିଭ୍ୟୁ ପିଟିସନ ଦେବେ ବୋଲି ସରକାର କହିଥିଲେ ହେଲେ ଦେଇନାହାଁନ୍ତି । 7 ବର୍ଷ ଭିତରେ ସମସ୍ତ ବାତ୍ୟା ପାଇଁ ବ୍ୟାପକ କେନ୍ଦ୍ରୀୟ ସହାୟତା ଦେଇଛନ୍ତି । ଆଶା ଥିଲା ବିଦ୍ୟୁତ ଭିତ୍ତିଭୂମି ନିଶ୍ଚିତ ଭାବେ ସୁଧୁରିବ । କିନ୍ତୁ ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ପାଇଁ 92 ଲକ୍ଷ ଉପଭୋକ୍ତା ଆଜି ବି ଦୁର୍ଦ୍ଦଶା ଭୋଗୁଛନ୍ତି । ଏହା ବିରୋଧରେ ବିଜେପି 7 ଦିନ ଧରି ସାରା ରାଜ୍ୟରେ ସମସ୍ତ ବିଦ୍ୟୁତ ଅଫିସ ଆଗରେ ପ୍ରତିବାଦ କରିବ ବୋଲି ରାଜ୍ୟ ବିଜେପି ସଭାପତି କହିଛନ୍ତି ।
ମହାମାରୀ ସମୟରେ ଦୁଇ ଦୁଇ ଥର ବିଜୁଳି ଦର ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯେଉଁଭଳି ଭାବେ ବିଜୁଳି ସେବା ସରକାର ଲୋକଙ୍କ ପାଖରେ ପହଞ୍ଚାଇଛନ୍ତି ତାହା ଦୁର୍ଭାଗ୍ୟଜନକ । ବାରମ୍ବାର ଅଘୋଷିତ ବିଜୁଳି କାଟ, ଲୋ-ଭୋଲଟେଜ୍ ରହୁଥିବା ସହ କୃଷି କ୍ଷେତ୍ରରେ ପହଞ୍ଚି ପାରୁନାହିଁ ବିଜୁଳି । ବାରମ୍ବାର ଦାବି କରାଯିବା ସତ୍ତ୍ବେ ସରକାର କର୍ଣ୍ଣପାତ କାରୁନାହାନ୍ତି ବୋଲି ସେ କହିଛନ୍ତି ।
ଏ ସମ୍ପର୍କରେ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ପ୍ରାଇଭେଟ ଡିସକୋମ, ବଡ଼ ବଡ଼ କମ୍ପାନୀ ଓ ସରକାରୀ କଲେଜ ଉପରେ ବିଜୁଳି ବିଲ 4006 କୋଟି ଟଙ୍କା ବାକି ପଡ଼ିଛି । ହେଲେ ଗରିବ ଖାଉଟି ଉପରେ ସରକାର ଅତ୍ୟାଚାର କରୁଛନ୍ତି । ବାହାର ରାଜ୍ୟକୁ 3 ଟଙ୍କା 21 ପଇସାରେ ବିଜୁଳି ବିକୁଛନ୍ତି ଓ 3 ଟଙ୍କା 81ରେ କିଣୁଛନ୍ତି । OERC ଯେତେବେଳେ ରେଟ ବଢ଼ାଇଲେ ଜଳ କର ବାବଦକୁ 5 ହଜାର 625 କୋଟି ଟଙ୍କା ଛାଡ଼ କରିଥିଲେ । ଆନ୍ଧ୍ର, ଗୋଆ, ସିକିମରେ କମ ଅଛି ଦର । ଦିଲ୍ଲୀ ଭଳି ରାଜ୍ୟରେ 200 ୟୁନିଟ ପର୍ଯ୍ୟନ୍ତ ମାଗଣା ଅଛି । ଶିଳ୍ପ ପାଇଁ ଅନ୍ୟ ରାଜ୍ୟରେ କମ ଅଛି ହେଲେ ଓଡିଶାରେ ଅଧିକ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ