ଓଡିଶା

odisha

ETV Bharat / city

ଶେଷ ହେଲା ବିଜେପିର ପ୍ରଶିକ୍ଷଣ ଶିବିର, 2024 ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ

ଶେଷ ହେଲା ବିଜେପିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର । 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡମ୍ୟାପ୍ । ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିଜେଡି ସରକାରର ଦୁର୍ନୀତିକୁ ମୁଦ୍ଦା କରି ହେବ ନିର୍ବାଚନ ଲଢେଇ । ଅଧିକ ପଢନ୍ତୁ

By

Published : Sep 15, 2022, 10:07 PM IST

Etv Bharatଶେଷ ହେଲା ବିଜେପିର ପ୍ରଶିକ୍ଷଣ ଶିବିର, 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି
Etv Bharatଶେଷ ହେଲା ବିଜେପିର ପ୍ରଶିକ୍ଷଣ ଶିବିର, 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି

ପୁରୀ: ଶେଷ ହେଲା ବିଜେପିର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର। 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରୋଡ ମ୍ୟାପ। ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିଜେଡି ସରକାରର ଦୁର୍ନୀତିକୁ ମୁଦ୍ଦା କରି ହେବ ନିର୍ବାଚନ ଲଢେଇ ।

ଶେଷ ହେଲା ବିଜେପିର ପ୍ରଶିକ୍ଷଣ ଶିବିର, 2024 ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ରଣନୀତି

ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ରାଜ୍ୟ ଶାଖାକୁ ଗୁରୁମନ୍ତ୍ର ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । 2024 ନିର୍ବାଚନ ପାଇଁ ସମରସଜା ସରିଛି । ପ୍ରସ୍ତୁତ ହୋଇଛି ନୂଆ ରଣନୀତି । ଗତ ପଞ୍ଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନର ତ୍ରୁଟିକୁ ସୁଧାରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କ୍ଷେତ୍ର ପ୍ରସ୍ତୁତ ହୋଇଛି । ପ୍ରଭାରୀ, ସାଂଗଠନିକ ନେତୃତ୍ୱ, ଜିଲ୍ଲା ସଭାପତି,ସମ୍ପାଦକ,ରାଜ୍ୟ ନେତୃତ୍ୱ,ଏବଂ 2019 ନିର୍ବାଚନରେ ଲଢ଼ିଥିବା ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ତିନି ଦିନିଆ ପ୍ରଶିକ୍ଷଣ ଶିବିର । ଶେଷ ଦିନରେ ଦଳକୁ ଗୁରୁମନ୍ତ୍ର ଦେଇ ଛନ୍ତି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ।

ରାଷ୍ଟ୍ର ଗଠନରେ ଭାରତୀୟ ଜନତା ପାର୍ଟିର ଅବଦାନକୁ ନେଇ ନେତୃତ୍ୱଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ବିଏଲ ସନ୍ତୋଷ । ପ୍ରଥମ ଦୁଇ ଦିନରେ warm up ହୋଇଥିବା ରାଜ୍ୟ ନେତୃତ୍ୱଙ୍କୁ ଶେଷ ଦିନରେ ମିଳିଛି 2024 ନିର୍ବାଚନ ରୋଡ ମ୍ୟାପ । ଶେଷ ଦିବସରେ 4 ଟି ଶେସନରେ ପ୍ରଶିକ୍ଷଣ ଶେଷ ହୋଇଛି । ପ୍ରଥମ ଶେସନରେ ରାଜ୍ୟ ସଭାପତି ସମୀର ମହାନ୍ତି ପଲିଟିକାଲ ରୋଡ ମ୍ୟାପ ବିଷୟରେ ଆଲୋଚନା କରିଥିବା ବେଳେ ଦ୍ଵିତୀୟ ଶେସନରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ଓ ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ଅବଗତ କରାଇଛନ୍ତି କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତୃତୀୟ ଶେସନରେ କୃଷି ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରାଧାମୋହନ ସିଂହ । ଶେଷ ତଥା ଅନ୍ତିମ ଶେସନରେ ରାଷ୍ଟ୍ରୀୟ ଗଠନରେ ଦଳର ଆଭିମୁଖ୍ୟ ଓ ଅବଦାନ ନେଇ ଅବଲୋକନ କରିଥିଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ।

ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରି ଲୋକଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତ ହୋଇଛି ପ୍ଲାନ । ରାଜ୍ୟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ବାଟମାରଣା କରାଯାଉଛି । ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା । ବିଭିନ୍ନ ଯୋଜନାରେ ମିଳୁଥିବା ଅର୍ଥକୁ ହରିଲୁଟ କରାଯାଉଛି। ଏଭଳି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବ ଭାରତୀୟ ଜନତା ପାର୍ଟି । ରାଜରାସ୍ତାକୁ ଓହ୍ଲାଇ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ଆନ୍ଦୋଳନ କରିବ ଦଳ ।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖପାତ୍ର ଗୋଲକ ମହାପାତ୍ର । 2014 ନିର୍ବାଚନ ଅପେକ୍ଷା 2019 ନିର୍ବାଚନ ରେ ବିଜେପିର ଭୋଟ ପ୍ରତିଶତ ବଢିଥିବା ବେଳେ ବିଜେଡିର ଭୋଟ ପ୍ରତିଶତ କମିଛି । ଗତ ସାଧାରଣ ନିର୍ବାଚନରେ ଅନେକ ପ୍ରାର୍ଥୀ 10 ହଜାରରୁ କମ ବ୍ୟବଧାନରେ ହାରିଥିବା ବେଳେ ଅଧିକାଂଶ ପ୍ରାର୍ଥୀ 10ରୁ 15000 ଭୋଟ ବ୍ୟବଧାନରେ ହାରିଛନ୍ତି । ଏହି ବ୍ୟବଧାନ ହ୍ରାସ କରି ବିଜୟ ଲାଭ କରିବା ପାଇଁ ଲୋକଙ୍କ ପାଖରେ ପହଁଞ୍ଚିବ ବିଜେପି । ବୁଥ ଓ ମଣ୍ଡଳ ସ୍ତରରେ କର୍ମୀ ଓ ନେତାଙ୍କୁ ଶସକ୍ତ କରାଯିବା ସହ ଲୋକଙ୍କ ପାଖରେ ପହଞ୍ଚିବ ଦଳ । ଗତ ପଞ୍ଚାୟତ ନିର୍ବାଚନରେ ଯେଉଁଭଳି ଭାବରେ ଜିତିବା ପାଇଁ ଶାସକ ଦଳ ବୁଥ କ୍ୟାପଚରିଙ୍ଗ ଭଳି ପନ୍ଥାକୁ ଅବଲମ୍ବନ କରିଥିଲା, ସେଥିରୁ ଶାସକ ଦଳର ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି କହିଛି ବିଜେପି । ସ୍ପଷ୍ଟ ଭିଜନ ଓ ରାଜ୍ୟରେ ଥିବା ସମସ୍ୟାକୁ ପ୍ରସଙ୍ଗ କରି 2024କୁ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ଦଳ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details