ଭୁବନେଶ୍ବର:ଗ୍ୟାଙ୍ଗଷ୍ଟର ହାଇଦର ବିଶ୍ବସ୍ତରୀୟ ମେଡ଼ିକାଲରୁ ଚମ୍ପଟ ମାରିଲା । 36 ଘଣ୍ଟା ପରେ ପୋଲିସର ହାତ ଖାଲି ପଡିଛି । ତେବେ ସେ ଫେରାର ହୋଇଛି ନା ତାକୁ ଫେରାର କରାଯାଇଛି ବୋଲି କହି ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି ବିଜେପି । ତେବେ ସୋମବାର ବିଜେପି ସାମ୍ବାଦିକ ସମ୍ମିଳନୀ କରି ହାଇଦର ଘଟଣାରେ ଏଭଳି ପ୍ରଶ୍ନ ଉଠାଇଛି ।
ସାମ୍ବାଦିକ ସମ୍ମିଳନୀରେ ବିଜେପି ଆହୁରି କହିଛି ଯେ ଗୁଣ୍ଡାମାନଙ୍କ ହାତରେ ରାଜ୍ୟର ଆଇନ ବ୍ୟବସ୍ଥା ଚାଲୁଛି । ମୁକ୍ତ ଆକାଶ ତଳେ ଅପରାଧୀ ଖୁଲମଖୁଲା ବୁଲୁଛନ୍ତି । ରାଜ୍ୟ ସରକାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି । ତେବେ ରାଜ୍ୟର ଆଇନ ଶୃଙ୍ଖଳା ଦିଗରେ ସରକାର ଧ୍ୟାନ ଦିଅନ୍ତୁ ବୋଲି ବିଜେପି କହିଛି । ମେଡିକାଲରେ ହାଇଦର ନିକଟକୁ ବିରିୟାନୀ ଆଣିଥିଲା କିଏ ଏବଂ ନର୍ସଙ୍କ ଖାଦ୍ୟରେ କିଏ ନିଶାଦ୍ରବ୍ୟ ମିଶାଇଥିଲା ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ଆବଶ୍ୟକ ରହିଛି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।