ଓଡିଶା

odisha

By

Published : Dec 23, 2020, 2:09 PM IST

ETV Bharat / city

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ, ରାଜ୍ୟ ସରକାରଙ୍କୁ ଘେରିଲା ବିଜେପି

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା
ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ଚୋରି ଓ ଚଞ୍ଚକତା କରୁଥିବାର ସାଙ୍ଘାତିକ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ପୂର୍ବରୁ ଆବାସ ଯୋଜନାରେ ବିଜେଡି ନେତା ଓ କର୍ମୀ କୋଡିଏ ହଜାର ଟଙ୍କା ଲେଖାଏଁ ନେଉଥିବାବେଳେ ଏବେ ଏହାର ନାମକୁ ନିଜ ନାମରେ କରିବାର ଅପଚେଷ୍ଟା କରାଯାଉଥିବା କହିଛି ଦଳ । ତେବେ ଏପରି କାର୍ଯ୍ୟକୁ କରାଇ ଦିଆଯିବ ନାହିଁ ଓ ଏହାକୁ ଜୋରଦାର ବିରୋଧ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଇତିହାସ ପୃଷ୍ଠାକୁ ଆଡେଇ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଚଞ୍ଚକତାକୁ ମନେ ପକାଇବା ସହ ରାଜ୍ୟ ସରକାର ଏନେଇ ପୁଣି ଥରେ ସାନି ଆବେଦନ କରିବାକୁ ଆହ୍ବାନ କରିଥିବା ଦର୍ଶାଇଛି ଦଳ । ତେବେ ଗତ ଫେବୃଆରୀରେ ଏହି ଦରଖାସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଏହାକୁ ବ୍ଲକ କାର୍ଯ୍ୟାଳୟରେ ଥିବା ଆବେଦନ ପତ୍ର ବାକ୍ସରେ ପକାଇବାକୁ କୁହାଯାଇଥିଲା । ହେଲେ 10 ମାସ ପରେ ବି ବ୍ଲକ ଗୁଡିକରେ ଥିବା ଏହି ଆବେଦନ ପତ୍ର ବାକ୍ସ ଖୋଲାଯାଇନଥିବା କହିଛି ବିଜେପି।

ବ୍ଲକ ଅଫିସ ବାହାରେ ଏବେବି ଆବେଦନ ପତ୍ର ବାକ୍ସ ପଡିଥିବା ଦର୍ଶାଇ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକ ଘର ପାଆନ୍ତୁ ବୋଲି ରାଜ୍ୟ ସରକାର ଚାହୁଁନଥିବା ବିଜେପି ପକ୍ଷରୁ କୁହାଯାଇଛି । ଏହାସହ ସରକାର କ୍ଷମତା ପାଗଳ, ଯୋଜନା କେନ୍ଦ୍ର ସରକାରଙ୍କ, ଅର୍ଥ ଦେଉଛି କେନ୍ଦ୍ର। ଗୁମାସ୍ତା ଭଳି ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା କାର୍ଯ୍ୟ ରାଜ୍ୟର। ଗୁମାସ୍ତା ହୋଇ ମାଲିକ ଭଳି ବ୍ୟବହାର ରାଜ୍ୟ ବ୍ୟବହାର କରୁଥିବା କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୃଥ୍ବୀରାଜ ।

ସେହିପରି ଏବେ ରାଜ୍ୟ ସରକାର ଆବାସ ଯୋଜନାରେ ଷ୍ଟିକର ମାରୁଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ପ୍ରଯୋ ଓ ଇନ୍ଦିରା ଆବାସ ଯୋଜନାକୁ ଇଆଯୋ ଭଳି କୋଡ ୱାର୍ଡ ବ୍ୟବହାର କରି ବିଜୁ ବାବୁଙ୍କ ଫଟୋ ବ୍ୟବହାର କରାଯାଉଥିବା ସେ କହିଛନ୍ତି ।

ଏଥିସହିତ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଯୋଜନାର ତଥ୍ୟ ଦେଇ କେନ୍ଦ୍ର କେତେ ଟଙ୍କା ଦେଉଛି ତାହା ମଧ୍ୟ ଜଣାଇଛନ୍ତି । 2017 -18ରେ କେନ୍ଦ୍ର 6218 କୋଟି ଟଙ୍କା ଆବାସ ବାବଦରେ ଦେଇଥିବାବେଳେ ବିଜୁ ପକ୍କାଘର ପାଇଁ ରାଜ୍ୟ ସରକାର 668 କୋଟି ଟଙ୍କା ଦେଇଛନ୍ତି । 2018-19ରେ 4 ହଜାର 925 କୋଟି କେନ୍ଦ୍ର ଦେଇଥିବାବେଳେ, 830 କୋଟି ବିଜୁ ପକ୍କାଘର ବାବଦରେ ଖର୍ଚ୍ଚ ହୋଇଛି। 2019- 20ରେ 2765 କୋଟି କେନ୍ଦ୍ର ଦେଇଥିବା ବେଳେ ବିଜୁ ପକ୍କା ଘର ବାବଦରେ 208 କୋଟି ରାଜ୍ୟ ଖର୍ଚ୍ଚ କରିଛି ବୋଲି କହି ସରକାରଙ୍କୁ ଘେରିଛି ବିଜେପି।

ଗୋଟିଏ ଯୋଗ୍ୟ ହିତାଧିକାରୀ ଯେପରି ବାଦ ନପଡ଼େ ସେଥିପାଇଁ ବିଜେପି ଲଢେଇ ଜାରି ରଖିବ । ଯୋଜନା ଚୋରି ବନ୍ଦ ନହେଲେ ଓ ବ୍ରାଣ୍ଡିଂ ବନ୍ଦ ନହେଲେ 28ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଲେଖିଥିବା ଚିଠିକୁ ପ୍ରତି ବ୍ଲକ ଅଫିସ ଆଗରେ ପୋଡାଯିବ ବୋଲି ପୃଥ୍ବୀରାଜ ଚେତାବନୀ ଦେଇଛନ୍ତି ।

ସେହିପରି 29ରେ ସବୁ ଥାନାରେ ଯେଉଁ ଅଧିକାରୀ ଷ୍ଟିକରିଂ ପଛରେ ରହିଛନ୍ତି ସେମାନଙ୍କ ବିରୋଧରେ ଏଫଆଇଆର ରୁଜୁ ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details