ଓଡିଶା

odisha

By

Published : Dec 6, 2019, 4:45 PM IST

Updated : Dec 6, 2019, 4:53 PM IST

ETV Bharat / city

ରାଜ୍ୟ ସରକାରଙ୍କ ଛ’ ମାସର ରିପୋର୍ଟ କାର୍ଡ ଥୋଇଲା ବିଜେପି

ପଞ୍ଚମ ପାଳିରେ ବିଜେଡି ସରକାର 6 ମାସ ପୂରଣ କରିଛନ୍ତି । ହେଲେ 6 ମାସରେ 6ଟି ମହାବିଫଳତାକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେପି ନେତା ।

bjp target to bjd govt
ରାଜ୍ୟ ସରକାରଙ୍କ ଛଅ’ ମାସର ରିପୋର୍ଟ କାର୍ଡ

ଭୁବନେଶ୍ବର: ଓଡିଶାରେ ବିଜେଡି ଶାସନର ପଞ୍ଚମ ପାଳିର ପ୍ରଥମ ଛଅ ମାସରେ ୬ ମହାବିଫଳତାକୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ କୈଫିୟତ ମାଗିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତଃ 6ଟି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ବିଜେପି ନେତା ।

ରାଜ୍ୟ ସରକାରଙ୍କ ଛ’ ମାସର ରିପୋର୍ଟ କାର୍ଡ ଥୋଇଲା ବିଜେପି

ରାଜ୍ୟରେ ମହିଳା ଧର୍ଷିତା-ଲାଞ୍ଚିଂତା-ଅପମାନିତା ହେବା, ଗରିବଙ୍କ ପକ୍କା ଘର ଯୋଜନାରେ ଗରିବ ବଦଳରେ ଦଳୀୟ କର୍ମୀ ଯୋଜନା ହାତେଇବା, ଫନିର ପ୍ରଚୁର କେନ୍ଦ୍ରୀୟ ସହାୟତା ପ୍ରଶାସନ ଦ୍ବାରା ବାଟମାରଣା, ମେକ୍ ଇନ୍ ଓଡିଶା ନାରା ସମ୍ପୂର୍ଣ୍ଣ ବିଫଳ ହେବା, ସିଏଜି ରିପୋର୍ଟରେ ରାଜ୍ୟ ସରକାରଙ୍କ ଅପାରଗତା ପଦାରେ ପଡିବା ଏବଂ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରୁନଥିବା ରାଜ୍ୟସରକାର ଏବେ ନିଜସ୍ବ ଯୋଜନା ପାଇଁ ଅର୍ଥ ଅଭାବ ହେବାରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରିବା ଆଦି ୬ଟି ପ୍ରସଙ୍ଗକୁ ନେଇ ବିଜେଡି ଶାସନର ପ୍ରଥମ ୬ ମାସର ବଡ ଉପଲବ୍ଧି କହି ତାଚ୍ଛଲ୍ୟ କରିଛନ୍ତି ସମୀର ।

ରାଜ୍ୟରେ ମହିଳା ଦୁଷ୍କର୍ମ ଖାଲି ବୃଦ୍ଧି ପାଇନି ବରଂ ମହିଳାକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ରକ୍ଷକ ପୋଲିସ ବାହିନୀ ରାକ୍ଷାସ ପାଲଟି ଯାଇଛି ବୋଲି ବିଜେପି ଅଭିଯୋଗ କରିଛି । ମୃତା ସ୍ମିତାରାଣୀଙ୍କ ଚରିତ୍ର ସଂହାର କରି ଯାଜପୁର ଏସପି ଚରଣ ସିଂ ମୀନା ଶାସନ ଦଳର ବାହୁବଳି ନେତାଙ୍କ ପାଇଁ ବନିଛନ୍ତି ସୁରକ୍ଷା କବଚ । ସରକାରୀ ରେକର୍ଡରେ ଭଙ୍ଗାଯାଇଥିବା ରଙ୍ଗଶାଳା ବଡ ବଡିଆଙ୍କ ଜୀବନକୁ ରଙ୍ଗୀନ କରିବାରେ ହେଉଥିଲା ବ୍ୟବହୃତ । ଯାଜପୁରର ରଙ୍ଗଶାଳାରୁ ପୁରୀର ପୋଲିସ କ୍ବାଟର ମହିଳାଙ୍କ ଅତ୍ୟାଚାର ପାଇଁ ବନିଥିଲା ଭୋଗଶାଳା । ଦୁଷ୍କର୍ମରେ ଓଡିଶା କଲାଣି ରେକର୍ଡ । ଏନସିଆରବି ରିପୋର୍ଟ କୁହନ୍ତୁ ବା ବିଧାନସଭାରେ ରାଜ୍ୟରେ ନଗଣ୍ୟ ଚାର୍ଜ ସିଟ୍ ହେଉ ଅଥବା ଦଣ୍ଡବିଧାନ ରାଷ୍ଟ୍ରୀୟ ସ୍ତରରୁ ଖସିଛି ବହୁ ତଳକୁ । ଏହାକୁ କଣ ମୁଖ୍ୟମନ୍ତ୍ରୀ ମହିଳା ମାମଲାରେ ରାଜନୈତିକ ନକରିବା କହି ନିଜ ଦାୟିତ୍ବରୁ ଏଡାଇ ଦେଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।


ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସର ମହାଘୋଟାଲା ଖୋଦ୍ ବିଭାଗୀୟ ମନ୍ତ୍ରୀଙ୍କ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ମିଳିଥିବାର ପ୍ରମାଣ ରାଜ୍ୟବାସୀଙ୍କ ଆଖି ଖୋଲିଦେଇଛି । ଶାସକ ଦଳର ଧନୀ ବଡ ନେତାଙ୍କୁ ଘର ମିଳିଛି । ମାତ୍ର ବିଧବା ମହିଳା, ଭୂମିହୀନ, ଦିବ୍ୟାଙ୍ଗ ପରି ପରିବାର ଲାଞ୍ଚ ଦେଇନପାରିବା କାରଣରୁ ସରକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ମାହାଙ୍ଗାରେ ଆବାସ କେଳେଙ୍କାରୀରେ ଯେଉଁ ବିଡିଓ ସମ୍ପୃକ୍ତ ତାଙ୍କୁ ଖୋଦ୍ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନାଙ୍କର ଓଏସଡି ଭାବେ ପଦୋନ୍ନତି ଦେଇଛନ୍ତି । ଭାତହାଣ୍ଡିରୁ ଗୋଟେ ଭାତ ଚିପିବା ପରି ଆବାସ ଯୋଜନା ବଣ୍ଟନରେ ଗରିବ ବଞ୍ଚିତ ହେବା କଣ ନବୀନ ବାବୁଙ୍କ 6 ମାସ ଶାସନର ବଡ ଉପଲବ୍ଧି ?

ସେହିପରି ଫନି ଆସିବା ପୂର୍ବରୁ ଓ ପରେ କେନ୍ଦ୍ର ସରକାର ରେକର୍ଡ ପରିମାଣର ଆର୍ଥିକ ସହାୟତା ରାଜ୍ୟକୁ ଯୋଗେଇଦେଲେ । ଫନିରେ ପୁରୀ, ଖୋର୍ଦ୍ଧା ସମେତ ଅଳ୍ପ କେତୋଟି ଉପକୂଳ ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ଏବେ ବି ପଲିଥିନ୍ ତଳେ ଲୋକ ଜୀବନ ବିତାଉଛନ୍ତି । ଟଙ୍କା କେଉଁଆଡେ ଯାଉଛି କିଏ ନେଉଛି, କ୍ଷତିପୂରଣ ଟଙ୍କା କିଏ ପାଉଛନ୍ତି ସେ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରି ଲୋକ ଲୋକୟୁକ୍ତଙ୍କୁ ଆଗରେ ଅଭିଯୋଗ କରିବା ପରେ ସରକାର ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରିବା ପାଇଁ ନୋଟିସ ଦେବା ଆରମ୍ଭ କଲେଣି । ମାତ୍ର ଯାଞ୍ଚ କରି କ୍ଷତିପୂରଣ ପାଇଁ ଯୋଗ୍ୟ ବାଛିବାର ଦାୟିତ୍ବରେ ଥିବା ସରକାର କାହିଁକି ଭୁଲ ଲୋକଙ୍କୁ ଏହି ସୁବିଧା ଦେଲେ ତାହା ରାଜ୍ୟ ସରକାରଙ୍କ ମହାବିଫଳତାକୁ ପ୍ରମାଣିତ କରୁଛି କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅପରପକ୍ଷରେ ସିଏଜିଙ୍କ ସଦ୍ୟତମ ରିପୋର୍ଟ ରାଜ୍ୟ ସରକାରଙ୍କର ମୁଖା ଖୋଲିଦେଇଛି । ଆସୁଥିବା ପ୍ରଚୁର କେନ୍ଦ୍ରୀୟ ଅନୁଦାନକୁ ଖର୍ଚ୍ଚ କରିବା ବଦଳରେ ବିନା କାରଣରେ ଋଣ ଆଣି ଓଡିଶା ଅର୍ଥନୀତିକୁ ଦେବାଳିଆ କରିବାରେ ବଡ ଭୂମିକା ନେଇଛନ୍ତି ରାଜ୍ୟ ସରକାର । ସିଏଜି ତାଙ୍କ ସଦ୍ୟତମ ରିପୋର୍ଟରେ ରାଜ୍ୟ ତହବିଲର ୩୮ ହଜାର ୪୨୭ କୋଟି ଟଙ୍କା ଗାଏବ ହେବା, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଫେରସ୍ତ ନଦେବା, ତଥା ଅର୍ଥ ଫେରସ୍ତ ପାଇଁ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କୁଆଡେ ଗଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏହା କଣ ରାଜ୍ୟ ସରକାରଙ୍କ 6 ମାସର ସଫଳତା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆଗକୁ ରାଜ୍ୟ ସରକାର କାଳିଆ ଯୋଜନାକୁ ପିଏମ କିଷାନ ନିଧି ଯୋଜନାରେ ସାମିଲ କରିବା ପାଇଁ ଯାଉଛନ୍ତି । ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଯୋଜନାକୁ ଲାଗୁ କରାଇ ଦେଉନଥିବା ବେଳେ ନିର୍ବାଚନ ସରିବା ପରେ ରାଜ୍ୟ ଯୋଜନାର ଅର୍ଥ ଅଭାବ ହେବା ପରେ ଏବେ କେନ୍ଦ୍ରୀୟ ଯୋଜନାରେ ସାମିଲ କରି ମିଶାଇବା ପାଇଁ ପ୍ରୟାସ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନାକୁ ବନ୍ଦ ରଖିବା କଣ ନବୀନ ବାବୁଙ୍କ ସଫଳତାର ମାପକାଠି ? ଓଡିଶା ଲୋକଙ୍କ ସ୍ବାର୍ଥ ପଛେ ରସାତଳଗାମୀ ହେଉ ମାତ୍ର ବିଜେଡିର ଭୋଟ ସୁରକ୍ଷିତ ରହୁ ବୋଧହୁଏ ଏଥିପାଇଁ ମୋଦିଙ୍କ ଏତେବଡ ଦୁଇ ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ରାଜ୍ୟ ସରକାର କଳାପାହାଡ ପରି ଠିଆହେବା କଣ ନବୀନ ବାବୁଙ୍କ ୬ ମାସର ବଡ ଉପଲବ୍ଧି କି ବୋଲି ସମୀର ପ୍ରଶ୍ନ କରିଛନ୍ତି ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଏବଂ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Dec 6, 2019, 4:53 PM IST

ABOUT THE AUTHOR

...view details