ଭୁବନେଶ୍ବର: ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକରେ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲା ଖସଡ଼ା । ରାଜ୍ୟର ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବୈଠକରେ ବିସ୍ତାର ଭାବେ ଆଲୋଚନା ହେଉଛି ।
ଆଗାମୀ ଦିନରେ ଦଳର ରାଜନୈତିକ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦେଇଥିବା ଆହ୍ଵାନକୁ ଦଳ ଗମ୍ଭୀରତା ସହ କାର୍ଯ୍ୟକାରୀ କରିବ । ଏହାସହ ଦଳ ୨୦୨୪ରେ ରାଜ୍ୟରେ ଶାସନ କରିବା ପାଇଁ ଦେଇଥିବା ଆହ୍ବାନକୁ ଦଳ ସାକାର କରିବ । ଓଡ଼ିଶାରେ ବିଜେପି ରାମ ରାଜ୍ୟ ଭଳି ଶାସନ ଦେବ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ମଧ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଲୋଚନା କରାଯାଇଛି ବୋଲି ସୂଚନା ଦେଇଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର ।
ରାଜ୍ୟରେ କୋଭିଡ୍ ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା, କୋଭିଡ୍ କିଟ୍ କିଣାରେ ଦୁର୍ନୀତି ଓ ଅନିୟମିତତା ଆଦି ବିଷୟରେ ଆଲୋଚନା ହୋଇଛି । ମନେରଗା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବନ୍ୟା ମୁକାବିଲାରେ ରାଜ୍ୟ ସରକାରଙ୍କ ପରିଚାଳନା ତ୍ରୁଟି ଉପରେ ମଧ୍ୟ ଆଲୋଚନା ହୋଇଛି । ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ଓ ମହିଳା ମାନଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଏବଂ ନିକଟରେ ରାଜ୍ୟ କ୍ୟାବିନେଟରେ ବିଶ୍ଵ ବିଦ୍ୟାଳୟ ଆଇନ ସଂଶୋଧନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛି ଦଳ । ଏଭଳି ତମାମ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଦଳ ରାଜ୍ୟରେ ବ୍ୟାପକ ରାଜନୈତିକ କାର୍ଯ୍ୟକ୍ରମ କରିବ ବୋଲି ସୂଚନା ଦେଇଛନ୍ତି ଭୃଗୁ ।