ଭୁବନେଶ୍ବର: ସୂଚନା ଅଧିକାରୀ କର୍ମୀ ସର୍ବେଶ୍ୱର ବେଉରାଙ୍କୁ ହୋଇଥିବା ବୋମା ମାଡ ଘଟଣାରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି ଏହା ଏକ ଅତ୍ୟନ୍ତ ଜଘନ୍ୟ ଓ ବର୍ବୋରୋଚିତ ଘଟଣା । ପୋଲିସ୍ ଏ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ତେବେ ଏହି ଘଟଣାକୁ ନେଇ ବିଜେପି ଯେଭଳି ରାଜନୀତି ଆରମ୍ଭ କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।
ଉକ୍ତ ଘଟଣାକୁ ନେଇ ବିଜେପି ପକ୍ଷରୁ କାରଯାଇଥିବା ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେନିନ କହିଛନ୍ତି ଯେ, କୌଣସି ବ୍ୟକ୍ତିଙ୍କ ଉପରେ ବୋମାମାଡ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା । କୌଣସି ସ୍ତରରେ ଏହା ଗ୍ରହଣୀୟ ନୁହେଁ । ତେବେ ଏଭଳି ସ୍ପର୍ଶକାତାର ଘଟଣାକୁ ନେଇ ରାଜନୀତି କରିବା ଆଦୌ ଉଚିତ୍ ନୁହେଁ । ପ୍ରତ୍ୟେକ ଅପରାଧିକ ଘଟଣାକୁ ନେଇ ରାଜନୀତି କରିବା ରାଜ୍ୟ ବିଜେପିର ଅଭ୍ୟାସରେ ପରିଣତ ହୋଇଗଲାଣି । ଏହା ଫଳରେ ମାମଲାର ଗୁରୁତ୍ବ ହ୍ରାସ ସହିତ ଅପରାଧିମାନଙ୍କୁ ରାଜନୀତିକରଣ ବେଶ୍ ସୁହାଉଛି ବୋଲି କହିଛନ୍ତି ଲେନିନ ।