ଭୁବନେଶ୍ବର:ପୁରୀ ଗୋପ ୧୧ ନଂ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ଫିଟୁଛି ରହସ୍ୟ(Dharmendra Sahoo Death Case) । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ଦାୟୀ କରୁଥିବା ବିରୋଧି ହାତରେ ଲାଗିଛି ମୃତକଙ୍କ ଏକ ଅଡିଓ କ୍ଲିପ । ମୃତ୍ୟୁ ଦିନ ଧର୍ମେନ୍ଦ୍ର ନିଜର ଜଣେ ବନ୍ଧୁଙ୍କ ସହ ଫୋନରେ କଥାବାର୍ତ୍ତା ହେଉଥିବାର ଅଡିଓରେ ଶୁଣିବାକୁ ମିଳୁଛି । ଯେଉଁଥିରେ ସେ ତାଙ୍କର ମୃତ୍ୟୁ ପାଇଁ ୭ ଜଣଙ୍କୁ ଦାୟୀ କରିଛନ୍ତି । ସେମାନଙ୍କ ମଧ୍ୟରେ ମନ୍ତ୍ରୀ ସମୀର ଦାଶ ଥିବା ସେ ବନ୍ଧୁଙ୍କୁ ସ୍ପଷ୍ଟ ଭାବେ କହିଛନ୍ତି । ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା ହତ୍ୟା ଘଟଣାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ତାଙ୍କର ଏହି ଅଡିଓ କ୍ଲିପ୍ଟି ସାର୍ବଜନୀନ କରାଯାଇଛି ।
ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଥିବାର ପୂର୍ବରୁ ବିଜେପି ଅଭିଯୋଗ କରୁଛି । ତେଣୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦଳ ପ୍ରଥମରୁ ଦାବି କରିଆସିଛି । ମୃତ ଜିଲ୍ଲା ପରିଷଦ ସଦସ୍ୟଙ୍କ ଫୋନରେ ଥିବା ଦୁଇଟି ଭିଡ଼ିଓ ତାଙ୍କ ମୃତ୍ୟୁର ଗୁମର ଖୋଲିବ ବୋଲି ମୃତ୍ୟୁ ପୂର୍ବରୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । କିନ୍ତୁ ତାଙ୍କର ଫୋନ କୁଆଡେ ଗାଏବ ହୋଇଯାଇଥିଲା । ପରେ ଦୁଇଟି ଫୋନ ମିଳିଲା ଓ ସେହି ଫୋନରୁ ପ୍ରମାଣ ମଧ୍ୟ ଡିଲିଟ ହେବାରେ ଲାଗିଥିବା ବିଜେପି କହିଛି ।