ଭୁବନେଶ୍ବର: ବୁଲବୁଲ୍ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆଗକୁ ଆସିଲା ରାଜ୍ୟ ବିଜେପି ଦଳ । ସୋମବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ବରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡା ଜିଲ୍ଲାର ପ୍ରଭାବିତ ରାଜନଗର, ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ ଆଦି ଅଞ୍ଚଳ ବୁଲିବା ସହିତ ମୃତକ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ଏଥିସହ ବୁଲବୁଲ୍ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବା ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।
ବାତ୍ୟା ବୁଲୁବୁଲରେ ରାଜ୍ୟର କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ ଆଦି ୬ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାଥମିକ ଆକଳନ ଅନୁଯାୟୀ ଏହି ସବୁ ଜିଲ୍ଲାର ପ୍ରାୟ ୩ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି ।
ତେବେ ସୋମବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ନେତୃତ୍ବରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳ ବୁଲି ଅନୁଧ୍ୟାନ କରି କହିଛନ୍ତି, ଜିଲ୍ଲା ପ୍ରଶାସନ ଲୋକଙ୍କୁ ଯଥେଷ୍ଟ ପାନୀୟ ଜଳ, ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି ।