ଭୁବନେଶ୍ବର: ନୟାଗଡ ନାବାଳିକା ହତ୍ୟା ମାମଲାରେ ଆଡଭୋକେଟ ଜେନେରାଲଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଲା ବିଜେପି। ରାଜ୍ୟ ସରକାରଙ୍କର ଆଡଭୋକେଟ ଜେନେରାଲ ଥିବା ସତ୍ତ୍ବେ ସୁପ୍ରିମକୋର୍ଟରେ ନାମୀଦାମୀ ଓକିଲଙ୍କୁ ରାଜ୍ୟ ସରକାର କାହିଁକି ଶୁଣାଣି ପାଇଁ ନିଯୁକ୍ତ କଲେ ବୋଲି ପ୍ରଶ୍ନ କରିଛି ଦଳ । ଆଜି ଏକ ପ୍ରେସମିଟରେ ଏହି ପ୍ରସଙ୍ଗରେ ରାଜ୍ୟ ଉପରେ ବର୍ଷିଛନ୍ତି ଦଳର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।
ନୟାଗଡ ନାବାଳିକା ହତ୍ୟା ମାମଲା, ରାଜ୍ୟ ସରକାରଙ୍କ ଓକିଲ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଲା BJP ଏହି ମାମଲାରେ ମୃତ ନାବାଳିକାର ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ରିଟ ପିଟିସନ ଦାଖଲ କରିଥିଲେ। ହାଇକୋର୍ଟ ରିଟ ପିଟିସନକୁ ଖାରଜ କରିଦେଇଥିଲେ । ତେଣୁ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ହିଁ ଉକ୍ତ ମୃତ୍ୟୁ ପ୍ରସଙ୍ଗ ଶୁଣାଣି କରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମ କୋର୍ଟ ।
ଜାତୀୟ ଶିଶୁ ସୁରକ୍ଷା ଆୟୋଗ(NCPCR) କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ବାରା ତଦନ୍ତ କରାଯାଉ ବୋଲି କହିଥିଲେ । ହାଇକୋର୍ଟ ଶୁଣାଣି ବେଳେ NCPCRର ରିପୋର୍ଟକୁ ବିଚାରକୁ ନେଇ ଶୁଣାଣି କରିବେ। ସୁପ୍ରିମକୋର୍ଟରେ ଯେଉଁ କେସ ଚାଲିଥିଲା ତାର ତାରିଖ ପରେ ତାରିଖ ଗଡାଇ ଚାଲିଥିଲେ ରାଜ୍ୟ ସରକାର। ରାଜ୍ୟ ସରକାରଙ୍କ ଆଡଭୋକେଟ ଜେନେରାଲ ଥାଉ ଥାଉ ନିଜେ କାହିଁକି ଲଢିଲେ ନାହିଁ ତାକୁ ନେଇ ପ୍ରଶ୍ନ କରିଛି ବିଜେପି। କାହା ପାଇଁ କାହା ସ୍ବାର୍ଥରେ ନୟାଗଡ ନାବାଳିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପ୍ରତିଷ୍ଠିତ ଓକିଲ ନିଯୁକ୍ତି କରାଇଥିଲେ ତାର ଜବାବ ରଖନ୍ତୁ ବୋଲି ବିଜେପି କହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ