ଭୁବନେଶ୍ବର:ରାଜ୍ୟର ମରୁଡି ସ୍ଥିତି ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ବିଜେପି ନେତା ତଥା ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ନେତୃତ୍ବରେ ବିଜେପିର ଟିମ ମରୁଡିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସାରା ରାଜ୍ୟରେ ବିଜେପିର 4ଟି ଟିମ ମରୁଡି ଅଞ୍ଚଳ ଅନୁଧ୍ୟାନ କରିବା ପରେ ରିପୋର୍ଟ ଦେଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମରୁଡି ସ୍ଥିତି ଏକ ଗମ୍ଭୀର ବିଷୟ । କିନ୍ତୁ ସରକାର ଏହି ପରିସ୍ଥିତିକୁ ଗମ୍ଭୀରତାର ସହ ନେଇ ନାହାନ୍ତି ବୋଲି ମନମୋହନ ସାମଲ ଅଭିଯୋଗ କରିଛନ୍ତି।
ରାଜ୍ୟରେ ଚାଷୀ ଆତ୍ମହତ୍ୟା ଆରମ୍ଭ ହୋଇଛି । ବଲାଙ୍ଗୀର ତୁରେଇକଲାର ଚାଷୀ ଆତ୍ମହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ ମରୁଡି ପ୍ରସଙ୍ଗରେ ପଦୁଟିଏ ହେଲେ କହୁନାହାଁନ୍ତି । ବିଜେପିର 4ଟି ଦଳ ସାରା ରାଜ୍ୟର 200ରୁ 250ଟି ସ୍ଥାନ ବୁଲିଛନ୍ତି ଏବଂ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟରେ 75 ଦିନ ବର୍ଷା ହୋଇନି । ଧାନ ପୋଡି ଯାଇଛି । ବିଜେପି ସରଜମିନ ତଦନ୍ତ କରିଛି । ବୁଲିବା ସମୟରେ ସରକାରୀ ଦଳର ବିଧାୟକ କିମ୍ବା କୌଣସି ସରକାରୀ ଅଧିକାରୀ ପହଞ୍ଚିନଥିବା ଜଣାପଡ଼ିଛି । ବିଜେପି ଟିମ ବୁଲିବା ଆରମ୍ଭ କରିବା ପରେ ସରକାର ବିଧାନସଭାରେ ମୋସନ ଆଣିଛନ୍ତି । 20 ବର୍ଷ ବନ୍ୟା ହେଲେ ଯେତିକି କ୍ଷତି ହେବନି ତାଠାରୁ ଅଧିକ କ୍ଷତି ଗୋଟିଏ ବର୍ଷ ମରୁଡି ହେଲେ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ 35 ଭାଗ ଜମିରେ ଜଳସେଚନ କରିବୁ । 2014ରେ କହିଥିଲେ 10 ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବୁ । ସରକାର ହିସାବ ଦେଉଛନ୍ତି, ମାତ୍ର 34 ହଜାର ହେକ୍ଟର ଜଳସେଚନ ହୋଇଛି । ଆଜି ଯାଏଁ ଋଣ ଛାଡ଼ର ଘୋଷଣା ହୋଇନି । ଆଗୁଆ ଋଣ ଦେବାର ମଧ୍ୟ ନିଷ୍ପତ୍ତି ହୋଇନି । ସରକାର ବିନା ଚିନ୍ତାରେ ବସିଛନ୍ତି ।