ଭୁବନେଶ୍ବର:ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଦୁର୍ନୀତି । ଓଡିଶାବାସୀଙ୍କୁ ଭୂଆଁ ବୁଲାଇବାକୁ ରାଜ୍ୟ ସରକାରଙ୍କ ଏହା ଏକ ପ୍ଲାନ । ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାରଙ୍କ BSKYକୁ ଏଭଳି ସମାଲୋଚନା କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର । ୨୦୧୮ ଅଗଷ୍ଟରେ ଆରମ୍ଭ ହୋଇଛି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା । ଏଥିରେ ୧ କୋଟି ୮୨ ଲକ୍ଷ ଲୋକଙ୍କୁ ସ୍ବାସ୍ଥ୍ୟ ସୁବିଧା ମିଳିଥିବା ୨୦୧୯ରେ ରାଜ୍ୟ ସରକାର ତଥ୍ୟ ରଖିଥିଲେ । ତେବେ ବର୍ତ୍ତମାନ କେତେ ଲୋକ ଚିକିତ୍ସା ପାଇଛନ୍ତି ତାହାର ତଥ୍ୟ ରାଜ୍ୟ ସରକାର ରଖନ୍ତୁ ବୋଲି କହିଛନ୍ତି ଲେଖାଶ୍ରୀ ।
ଲେଖାଶ୍ରୀ ସାମନ୍ତସିଂହାର କରିଛନ୍ତି ଯେ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ମହାଦୁର୍ନୀତି । ବିନା ପଇସାରେ ଚିକିତ୍ସା ଯୋଗାଇ ଦେବାକୁ କହି ରାଜ୍ୟବାସୀଙ୍କୁ ଠକିଛନ୍ତି ରାଜ୍ୟ ସରକାର । ୪-୫ଟି ଯୋଜନାକୁ ମିଶାଇ ଏହି ଯୋଜନା କରାଯାଇଛି । ସ୍ବତନ୍ତ୍ର ଭାବେ କିଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାହିଁ । ହେଲେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ବୀମା ଯୋଜନାରେ ୨୮ ଲକ୍ଷ ଲୋକ ଉପକୃତ ହେଉଥିଲେ । ଏହି ବୀମା ଯୋଜନାରେ ପୂର୍ବରୁ ଶତ ପ୍ରତିଶତ ଅର୍ଥ କେନ୍ଦ୍ର ଦେଉଥିବା ବେଳେ ଆୟୁଷ୍ମାନ ଭାରତରେ ରାଜ୍ୟ ସାମିଲ ନ ହେବାରୁ ଅର୍ଥ ବନ୍ଦ ହୋଇଗଲା । କିନ୍ତୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ପାଇଁ ଆଦୌ ବ୍ୟୟ ବରାଦ କରିନାହାନ୍ତି ।