ଭୁବନେଶ୍ବର: ମମିତା ମେହେର ମୃତ୍ୟୁ ଘଟଣାକୁ ନେଇ ଉଠୁଛି ପଡୁଛି ରାଜ୍ୟ । ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ନେଇ ହେଉଥିବା ଚର୍ଚ୍ଚା ମାମଲାକୁ ଅଧିକ ଗମ୍ଭୀର କରିଛି । ସେପଟେ ସିବିଆଇ ତଦନ୍ତ ଦାବି ସଙ୍ଗେ ସଙ୍ଗେ ମନ୍ତ୍ରୀଙ୍କ ବରଖାସ୍ତ ସହ ଗିରଫଦାରୀ ଦାବି କରିଛି ବିଜେପି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେପି ଏହି ମୃତ୍ୟୁ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ନେଇ ସିଧାସଳଖ ଅଭିଯୋଗ କରିବା ସହ ସମାଲୋଚନା କରିଛି ।
ବିଜେପି କହିଛି, ପୀଡିତାର ପରିବାର ଲୋକ ଗଣମାଧ୍ୟମ ଆଗରେ ଯାହା ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ । ମମିତାଙ୍କ ବାପାଙ୍କ କହିବାନୁଯାୟୀ, ମହାଲିଙ୍ଗ ଶିକ୍ଷାନୁଷ୍ଠାନରେ ଅନୈତିକ କାର୍ଯ୍ୟ ହେଉଥିଲା । ଏହି ଘଟଣା ଓଡିଶାବାସୀଙ୍କୁ ଲଜ୍ଜିତ କରିଛି । ଶିକ୍ଷାନୁଷ୍ଠାନରେ ଯୌନ ବ୍ୟଭିଚାର ଚାଲିଥିବାବେଳେ ଏଥିରେ ଶିକ୍ଷାନୁଷ୍ଠାନର ସଞ୍ଚାଳକ ସାମିଲ ଥିଲେ । ମନ୍ତ୍ରୀମାନେ ମଧ୍ୟ ବାରମ୍ବାର ସେଠାକୁ ଯାଉଥିଲେ । ଏପରିକି ଏହି ମାମଲାରେ ଶିକ୍ଷୟିତ୍ରୀଙ୍କ ବାପାଙ୍କ ଏଫଆଇଆର ପୋଲିସ ରଖିନଥିବା ତାଙ୍କ ବାପା ବୟାନ ଦେଇଛନ୍ତି ବୋଲି ବିଜେପି କହିଛି ।
ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ମମିତା ମେହେରଙ୍କ ମୋବାଇଲ, ପେନଡ୍ରାଇଭ, ଲାପଟପ ପୋଲିସ ସିଜ୍ କରିଛି । ପୀଡିତା ମୋବାଇଲରେ ଅନେକ ସିକ୍ରେଟ ରଖିଥିଲେ । ମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ କହୁଛନ୍ତି ସମ୍ପୃକ୍ତ କଲେଜ ମୋ ଜୀବନ । ହେଲିକପ୍ଟର ଧରି 2 ଜଣ ମନ୍ତ୍ରୀ କାହିଁକି କଲେଜରେ ପହଞ୍ଚିଥିଲେ ? ମନ୍ତ୍ରୀ ପ୍ରତାପ ଜେନା ରେଭେନ୍ସା କଲେଜ ସହ ମହାଲିଙ୍ଗ କଲେଜକୁ ତୁଳନା କରୁଥିଲେ ଏବଂ ଗୋବିନ୍ଦ ସାହୁଙ୍କୁ ଭୂୟଶୀ ପ୍ରଶଂସା କରୁଥିଲେ ମନ୍ତ୍ରୀ କାହିଁକି, ଏସବୁ ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିବା ଦରକାର ବୋଲି ସମୀର କହିଛନ୍ତି ।