ଭୁବନେଶ୍ବର: ପୂର୍ବରୁ କୁହାଯାଇଥିଲା ଡିସେମ୍ବର 20 ସୁଦ୍ଧା ଘୋଷଣା ହେବ ସଭାପତିଙ୍କ ନାମ । ପୁରା ନିର୍ବାଚନ ପ୍ରକ୍ରିୟା ଏହି ସମୟ ମଧ୍ୟରେ ଶେଷ ହେବ। ହେଲେ ଡିସେମ୍ବର ସରିବାକୁ ବସିଲାଣି, ସଭାପତି ଘୋଷଣା ତ ଦୂରର କଥା ସବୁ ସାଂଗଠନିକ ଜିଲ୍ଲାରେ ସଭାପତି ନିର୍ବାଚନ ହୋଇପାରିଲା ନାହିଁ। ଯାହାକୁ ନେଇ ବିଜେପି କର୍ମୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି ।
ରାଜ୍ୟ ବିଜେପିର ମୋଟ 36 ସାଂଗଠନିକ ଜିଲ୍ଲା ମଧ୍ୟରୁ 34ଟିରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। ଭୁବନେଶ୍ବର ଓ କଳାହାଣ୍ଡି ଜିଲ୍ଲାରେ ସଭାପତି ପଦକୁ ନେଇ ଲାଗିଛି ଛକପଞ୍ଝା । ଦୁଇ ଗୋଷ୍ଠୀ ନିଜ ନେତାଙ୍କୁ ପଦରେ ବସାଇବାକୁ ଲବି ଚଳାଇଛନ୍ତି। ଫଳରେ ସେଇଠି ହିଁ ଅଟକିଛି ସଭାପତି ନିର୍ବାଚନ। ଯେହେତୁ ଦୁଇ ଜିଲ୍ଲାର ସଭାପତି ଚୟନ ହୋଇପାରୁନାହିଁ ତେଣୁ ରାଜ୍ୟ ସଭାପତି ଘୋଷଣା ପାଇଁ ଏହା କଣ୍ଟା ହୋଇଛି। ସେପଟେ ଏହି ପଦ ପାଇଁ ଏବେ ଲବି ଜୋରଦାର ହେଉଛି।