ଭୁବନେଶ୍ବର: ପୁଣି ଉଠିଲା ‘ଏକ ଦେଶ, ଏକ ନିର୍ବାଚନ’ ପ୍ରସଙ୍ଗ । ଦେଶରେ ପାଞ୍ଚ ବର୍ଷକୁ ଥରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ କରିବା ପ୍ରସଙ୍ଗ ଉଠାଇଲା ବିଜେପି । ଏନେଇ ଆଜି ରାଜ୍ୟ ବିଜେପି ପକ୍ଷରୁ ଏକ ୱେବିନାର ଅନୁଷ୍ଠିତ ହୋଇଛି । ଏଥିରେ ଗୋଟିଏ ସମୟରେ ନିର୍ବାଚନ କରିବାକୁ ଆଲୋଚନା କରାଯାଇଥିବା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଏହାସହ ଏକକ ନିର୍ବାଚନ ସପକ୍ଷରେ ଜନମତ ସୃଷ୍ଟି କରିବା ଦିଗରେ ବିଜେପି ତାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅପରାଜିତା କହିଛନ୍ତି,‘ ଏକକ ନିର୍ବାଚନ ପ୍ରସଙ୍ଗ 2014 ନିର୍ବାଚନରେ ବିଜେପିର ଇସ୍ତାହାରରେ ଥିଲା । ଏକ ସମୟରେ ନିର୍ବାଚନ ହେଲେ କମ ଖର୍ଚ୍ଚ ହେବ ।’
ସେହିପରି ଅନେକ ନିର୍ବାଚନ ହେବା ଫଳରେ ବିକାଶ କାମ ବାଧାପ୍ରାପ୍ତ ହେଉଛି । ପ୍ରତିବର୍ଷ 5ରୁ 7ଟି ନିର୍ବାଚନ ଅନୁଷ୍ଠିତ ହେଉଛି । ସୁରକ୍ଷା ବଳ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପରେ ବୋଝ ପଡୁଛି । ଛାତ୍ରଛାତ୍ରୀ ମାନଙ୍କୁ ଏହା ମଧ୍ୟ ପ୍ରଭାବିତ କରୁଛି । ଏଥିପାଇଁ ଏକକ ନିର୍ବାଚନ ହେଲେ ଏହା ରୋକାଯାଇପାରିବ ବୋଲି ସେ କହିଛନ୍ତି ।
ସେହିପରି ଇତିହାସର ଉଦାହରଣ ଦେଇ ସେ କହିଛନ୍ତି,‘ଆମ ଦେଶରେ 1951-52 ରୁ 1967 ମଧ୍ୟରେ ଯେଉଁ ନିର୍ବାଚନ ହୋଇଥିଲା ସେଥିରେ ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନ ଏକ ସଙ୍ଗରେ ଅନୁଷ୍ଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ସମ୍ବିଧାନ ଧାରା 356ର ଦୁରୁପଯୋଗ କରି ନିର୍ବାଚିତ ସରକାରଙ୍କୁ ଭାଙ୍ଗି ଦିଆଯିବାରୁ ଏକ ରାଷ୍ଟ୍ର ଏକ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇପାରିନଥିଲା ।’