ଓଡିଶା

odisha

ETV Bharat / city

ନର୍ସ ନିହାରୀକା ହତ୍ୟାକାଣ୍ଡ: ପରିବାରକୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚା - ନର୍ସ ନିହାରୀକା ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତର ଟେର ପାଉନି ପୋଲିସ

ନର୍ସ ନିହାରୀକା ହତ୍ୟାକାଣ୍ଡ ମାମଲାକୁ 10 ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତର ଟେର ପାଉନି ପୋଲିସ । ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିହାରିକାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

By

Published : Sep 20, 2019, 12:00 AM IST

ଭୁବନେଶ୍ବର: ନର୍ସ ନିହାରୀକା ହତ୍ୟାକାଣ୍ଡ ମାମଲାରେ ଏବେ ବି ଅଭିଯୁକ୍ତର ଟେର୍‌ ପାଉନି ପୋଲିସ । ଘଟଣାକୁ ନେଇ ଆଜି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ନିହାରିକାଙ୍କ ପରିବାରୁ ଭେଟି ସମବେଦନା ଜଣାଇଛନ୍ତି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ଏଥିସହିତ ଏହି ପ୍ରତିନିଧି ଦଳ ବିଲୁଆ ଖାଇ ନଦୀ ପଠା ଏବଂ ମୃତ ନିହାରିକା କାର୍ଯ୍ୟ କରୁଥିବା ନର୍ସିଂହୋମରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପରେ ପୋଲିସ ଡିଜିଙ୍କୁ ଭେଟି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ୪୮ ଘଣ୍ଟା ଭିତରେ ଅପରାଧୀକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଅତିରିକ୍ତ ପୋଲିସ ଡିଜି ଘଟଣାକୁ ଗୁରୁତର ସହ ନେଇ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପ୍ରତିନିଧି ଦଳକୁ ପ୍ରତିଶ୍ରୁତି ଦେଇଛନ୍ତି ।

ନର୍ସ ନିହାରିକା ନିଖୋଜକୁ ନେଇ ପରିବାର ପକ୍ଷରୁ କଟକ ମଧୁପାଟଣା ଥାନାରେ ଏତଲା ହୋଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଯଦ୍ବାରା ଏକ ନୀରିହ ଝିଅ ନିଜ ଜୀବନ ହରାଇଲା । ଅପରପକ୍ଷେ ନିହାରିକା ଏକମାତ୍ର ରୋଜଗାରକ୍ଷମ ଥିବାରୁ ପୂରା ପରିବାରର ଭରଣପୋଷଣ ଦାୟିତ୍ବ ତା' ଉପରେ ନିର୍ଭର କରୁଥିଲା । ରାଜ୍ୟସରକାର ୫ଟି ଲଗାଇ ଅପରାଧୀକୁ ଧରିବାରେ ସହାୟ ହୁଅନ୍ତୁ, ନଚେତ୍ ଆଗାମୀ ଦିନରେ ମୃତ ନିହାରିକାକୁ ନ୍ୟାୟ ଦେବାକୁ ମହିଳା ମୋର୍ଚ୍ଚା ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀମତୀ ପରିଡା ରାଜ୍ୟସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଓଡିଶାରେ ମହିଳା ଅସୁରକ୍ଷିତ ହୋଇଥିବା ସମୟରେ ଗୃହ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି । କୁନ୍ଦୁଲୀ, ବେବିନା, ଇତିଶ୍ରୀ, ମାଧବିଲତା ଭଳି ନିହାରିକା ଆଜି ବଳି ପଡିଛି । ରାଜ୍ୟସରକାର ବଡ ବଡ ଭାଷଣ ଦେଉଥିବାବେଳେ ସମାଜରେ ଶିକ୍ଷିତ ଝିଅକୁ ବି ସୁରକ୍ଷା ଦେଇପାରିବାରେ ଆଜି ଅସଫଳ । କେବେ ମହିଳାମାନଙ୍କ ସୁରକ୍ଷା ପାଇଁ କଠୋର ଆଇନ ପ୍ରଣୟନ କରିବେ ରାଜ୍ୟସରକାର ବୋଲି ପ୍ରଶ୍ନ କରିଛି ବିଜେପି ମହିଳା ମୋର୍ଚ୍ଚା ।

ବିଳୁଆ ଖାଇ ନଦୀ ପଠାରେ ୪୦ ବର୍ଷ ତଳେ ଯେପରି ଛବିରାଣୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ଆଜି ପୁଣି ଥରେ ସେହି ଘଟଣାର ପୁନରାବୃତ୍ତି ଘଟିଛି । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡରେ ଗୃହ ବିଭାଗର ମୁଖ୍ୟ ନବୀନ ପଟ୍ଟନାୟ ଘଟଣାକୁ ନିନ୍ଦା କଲେ ନାହିଁ କି ପଦଟିଏ ମହିଳାମାନଙ୍କ ସୁରକ୍ଷା ଉପରେ ମୁହଁ ଖୋଲିଲେ ନାହିଁ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମହିଳା କମିଶନ ବି ଏହି ଘଟଣାରେ ନୀରବଦ୍ରଷ୍ଟା । ତୁରନ୍ତ ପୋଲିସ ଅପରାଧୀ ଏବଂ ତାର ସହଯୋଗୀ ମାନଙ୍କୁ ଗିରଫ କରି ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଦାବି କରିଛନ୍ତି ।

ଯେଉଁଠି ରାଜ୍ୟ ସରକାର ଓଭରଟେକିଂକୁ ଚେକ୍ କରିବା, ଡ୍ରୋନ ଉଡାଇବା କଥା କହୁଛନ୍ତି ସେଠି ମହିଳାଙ୍କ ସୁରକ୍ଷାକୁ ନେଇ କେତେ ସଜାଗ ତାହା ଏଭଳି ଘଟଣା ସ୍ପଷ୍ଟ କରୁଛି । ସେହିପରି ମହିଳାଙ୍କୁ ସୁରକ୍ଷା ଦେବା ଏବଂ ମହିଳା ବିରୋଧୀ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ଡ୍ରୋନ ଲଗାନ୍ତୁ ବୋଲି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି । ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ପ୍ରତିଭା ଶତପଥୀ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଆସ୍କା ବିଜେପି ସାଂସଦ ପ୍ରାର୍ଥିନୀ ଅନିତା ଶୁଭଦର୍ଶିନୀ, ସଂପାଦିକା ରଶ୍ମିରେଖା ଦାସ, ଐଶ୍ବର୍ଯ୍ୟା ବିଶ୍ବାଳ, କ୍ରୀଷ୍ଣା ମହାନ୍ତି, ଯାଜ୍ଞସେନୀ ଜେନା, ସୋସିଆଲ ମିଡିଆ ସଂଯୋଜିକା କସ୍ତୁରୀ ମିଶ୍ରଙ୍କ ସମେତ ସ୍ଥାନୀୟ ମହିଳା କାର୍ଯ୍ୟକର୍ତ୍ତା ପ୍ରମୁଖ ସାମିଲ ଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details