ଭୁବନେଶ୍ବର:ଜୀବନବ୍ୟାପୀ ସାଧନା ସମ୍ମାନ(Lifetime Achievement Award to Naveen)ରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି(Capital Foundation Society) ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନ ପଟ୍ଟନାୟକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଏହାପରେ ବିଜେଡି କର୍ମୀଙ୍କ ପକ୍ଷରୁ ଭବ୍ୟ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ତେବେ ଏହାକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
ମୁଖ୍ୟମନ୍ତ୍ରୀଙ୍କୁ ଲାଇଫଟାଇମ ଏଚିଭମେଣ୍ଟ ଆୱାର୍ଡ ପ୍ରସଙ୍ଗକୁ ନେଇ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, "ଆୱାର୍ଡ ପାଇବାରେ କିଛି ଅସୁବିଧା ନାହିଁ । ମୁଖ୍ୟମନ୍ତ୍ରୀ ଆୱାର୍ଡ ପାଆନ୍ତୁ । କିନ୍ତୁ ସେଇ କଥାକୁ ନେଇ ମୁଖ୍ୟମନ୍ତ୍ରୀ ଯେଭଳି ରାଜନୈତିକ ଗେମ୍ ଖେଳିବାକୁ ଚେଷ୍ଟା କରୁଛନ୍ତି, ତାହାଠୁ ବଡ଼ ଲଜ୍ଜାଜନକ କଥା ଆଉ କିଛି ନାହିଁ । ଯଦି ମୁଖ୍ୟମନ୍ତ୍ରୀଙ୍କର ସାମାନ୍ୟତମ ଆତ୍ମସମ୍ମାନ ଥିବ ।
ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଦଳର ଯେଉଁ ରାଜନୈତିକ ବନ୍ଧୁମାନେ ଆୱାର୍ଡକୁ ନେଇ ଚିତ୍କାର କରିବା ଆରମ୍ଭ କରିଛନ୍ତି ଏବଂ ବିରାଟ ଆୟୋଜନ କରିବାକୁ ଚେଷ୍ଟା କରୁଛନ୍ତି ତାହାକୁ ମନା କରିଥାଆନ୍ତେ । ମୁଖ୍ୟମନ୍ତ୍ରୀ କୁହନ୍ତେ ଯେ, "ମୁଁ ଆୱାର୍ଡ ପାଇଲି ଗଣମାଧ୍ୟମ ଜରିଆରେ ଲୋକ ଦେଖିବ ସେତିକି ଠିକ୍ । ମାତ୍ର ତାକୁ ନେଇ ପ୍ରଦର୍ଶନ ଓ ଶୋଭାଯାତ୍ରା ଭଳି ଆୟୋଜନ କରି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଦଳର ଲୋକମାନେ ହିଁ ନିଚା ଦେଖାଉଛନ୍ତି । ବୋଧ ହୁଏ ଏହା ମୁଖ୍ୟମନ୍ତ୍ରୀ ବୁଝି ପାରୁ ନାହାଁନ୍ତି ।"