ଭୁବନେଶ୍ବର: ଘୋର ଜଳ ସଙ୍କଟ ଭିତରକୁ ଠେଲି ହୋଇଯିବ ଓଡିଶା । ଅଣମୌସୁମୀ ସମୟରେ ସମ୍ପୂର୍ଣ୍ଣ ଶୁଖିଯିବ ମହାନଦୀ । ଛତିଶଗଡ ଓ ଓଡିଶା ମଧ୍ୟ ଲାଗି ରହିଥିବା ମହାନଦୀ ଜଳ ବିବାଦ ଉପରେ ଆଜି ପ୍ରତିକ୍ରିୟା ଦେଇ ଏଭଳି କହିଛନ୍ତି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ।
ମହାନଦୀ ଜଳ ବିବାଦ ଦିନେ ରାଜ୍ୟରେ ତୁମ୍ବିତୋଫାନ ସୃଷ୍ଟି କରିଥିଲା । ସବୁବର୍ଗ ଓ କ୍ଷେତ୍ରରେ ତତ୍ପରତା ଦେଖାଦେଇଥିଲା । ଆଉ ଏଥିପାଇଁ 2018 ମସିହାରେ ଗଠନ ହୋଇଥିଲା ଟ୍ରିବ୍ୟୁନାଲ । ଏହି ଟ୍ରିବ୍ୟୁନାଲ ଦ୍ବାରା ନ୍ୟାୟ ମିଳିବ ବୋଲି ଆଶା ବାନ୍ଧିଥିଲେ ଓଡିଶାବାସୀ । ହେଲେ ମାର୍ଚ୍ଚ ମାସରେ ଏହି ଟ୍ରିବ୍ୟୁନାଲ ତିନି ବର୍ଷ ବର୍ଷ ଶେଷ ହେବା ଏହାର ବୈଧତା ଶେଷ ହେବ । କିନ୍ତୁ ଟ୍ରିବ୍ୟୁନାଲର ଫଳାଫଳ କଣ ହେଲା ସେନେଇ ସରକାର କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କଲେ ନାହିଁ । ଏହି ପ୍ରସଙ୍ଗରେ ଚୁପ ବସିପଡିଛନ୍ତି ବିରୋଧୀ ଓ ବିଭିନ୍ନ ସଂସ୍ଥା । ତେବେ ଟ୍ରିବ୍ୟୁନାଲରେ ହୁଏତ ସରକାର ଲଢେଇ କରିପାରୁନାହାଁନ୍ତି କିମ୍ବା ସଠିକ ତଥ୍ୟ ଉପସ୍ଥାପନା କରାଯାଇପାରୁନାହିଁ । ଫଳସ୍ବରୂପ ଆଜି ପର୍ଯ୍ୟନ୍ତ ଏହି ପ୍ରସଙ୍ଗ ସମାଧାନ ହୋଇପାରିଲା ନାହିଁ ବୋଲି ବିଜୟ କହିଛନ୍ତି ।କେନ୍ଦ୍ର ସରକାର ଚାହିଁଲେ ଯଦିଓ ଟ୍ରିବ୍ୟୁନାଲର ଅବଧି ଆଉ 2 ବର୍ଷ ବଢାଇ ପାରିବେ କିନ୍ତୁ ବଢାଇବେ କି ନାହିଁ ତାହା କିଏ କହିବ ?