ଭୁବନେଶ୍ବର: ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରୁଛି ବିଜେପି । ଏନେଇ ଆସନ୍ତା 26 ଏବଂ 27 ତାରିଖରେ ସମସ୍ତ ଏସପି ଅଫିସ ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା । ଆଜି (ସୋମବାର) ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ।
ରାଜନୀତି ପାଇଁ ଅତିନିମ୍ନ ସ୍ତରକୁ ଖସି ଯାଉଛି ବିଜେପି: ବିଜେଡି ଇରାଶିଷଙ୍କ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ମୁଖପାତ୍ର ଚିନ୍ମୟ ସାହୁ । ରାଜନୀତିରେ ତିଷ୍ଠି ରହିବା ପାଇଁ ଟିଭିରେ ମୁହଁ ଦେଖାଇବାକୁ ବିଜେପି ଏପରି କରୁଥିବା କହିଛନ୍ତି ଚିନ୍ମୟ । ବିଜେପିର ଆଜିର ସାମ୍ବାଦିକ ସମ୍ମିଳନୀ ପୁଣିଥରେ ପ୍ରମାଣ କରିଛି ଯେ ବିଜେପି ନେତାମାନେ ରାଜନୀତିରେ ତିଷ୍ଠି ରହିବା ପାଇଁ ଉଦ୍ୟମ କରୁଛନ୍ତି । କିଭଳି ଟିଭିରେ ମୁହଁ ଦେଖାଇବାକୁ ପରସ୍ପର ସହ ପ୍ରତିଦ୍ବନ୍ଦିତା କରୁଛନ୍ତି ତାହାର ଏହା ଆଉ ଏକ ପ୍ରମାଣ । ବିଜେପିର ପ୍ରକୃତ ଉଦ୍ଦେଶ୍ୟ ପୀଡିତାଙ୍କୁ ନ୍ୟାୟ ଦେବା ନୁହେଁ ବୋଲି କହିଛନ୍ତି ଚିନ୍ମୟ ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଚିନ୍ମୟ କହିଛନ୍ତି ଯେ ଆଜି ଓଡିଶା ବିଜେପି ସାମ୍ବାଦିକ ସମ୍ମିଳନୀ କରିବା ପାଇଁ କୌଣସି ନେତାଙ୍କୁ ଖୋଜି ପାଇଲା ନାହିଁ । ଶେଷରେ ଇରାଶିଷ ଆଚାର୍ଯ୍ୟ ନାମକ ଜଣେ ହତ୍ୟା ମାମଲାରେ ଜଡିତ ଅଭିଯୁକ୍ତଙ୍କୁ ଏଥିପାଇଁ ମିଳିଲେ । ଯିଏ କି ସଂଯୋଗବଶତଃ ବିଜେପିରେ ଅଛନ୍ତି । ଏହା ଅତ୍ୟନ୍ତ ପରିତାପର ବିଷୟ ଯେ ପୀଡିତାଙ୍କୁ ନ୍ୟାୟ ଦାବିରେ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ଗିରଫ ହୋଇ ଜେଲରୁ ଫେରିଥିବା ଜଣେ ଅଭିଯୁକ୍ତଙ୍କୁ ଆଣି ସାମ୍ବାଦିକ ସମ୍ମିଳନୀ କରିବା ପାଇଁ ଦେବା ବିଜେପି କେତେ ନିମ୍ନ ସ୍ତରକୁ ଖସିଯାଇଛି ତାହାର ପ୍ରମାଣ ।
ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜନୀତି କରିବା ପଛରେ ବିଜେପିର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଖାଉଟି ସାମଗ୍ରୀର ମୂଲ୍ୟ ବୃଦ୍ଧି, ଇନ୍ଧନ ମୂଲ୍ୟ ବୃଦ୍ଧି, ଚାଷୀଙ୍କ କ୍ରୋଧ, ଜାତୀୟ ବେକାରୀ ଭଳି ବାସ୍ତବ ଜନ ପ୍ରସଙ୍ଗରୁ ଲୋକଙ୍କ ଦୃଷ୍ଟି ହଟାଇ ବୋଲି ଚିନ୍ମୟ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ