ଭୁବନେଶ୍ବର: 2024 ସାଧାରଣ ନିର୍ବାଚନ ପାଇଁ ଏକ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଦେଇଛି ବିରୋଧୀ ବିଜେପି । ଏହାରି ମଧ୍ୟରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ପ୍ରଭାରୀ ସୁନୀଲ ବଂଶଲ ଓ ଅନ୍ୟ ୭ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରି ଫେରିଛନ୍ତି । କେନ୍ଦ୍ରରେ ଥିବା ବିଜେପି ଏବେ ଓଡ଼ିଶା ମୁହାଁ ହୋଇଥିବା ଅନୁମାନ କରୁଛନ୍ତି ରାଜନୈତିକ ସମୀକ୍ଷକ (BJP executive meeting to be held at Puri)। ଏଭଳି ଆଲୋଚନା ମଧ୍ୟରେ ପୁରୀରେ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଏହାକୁ ନେଇ ସୂଚନା ପ୍ରଦାନ କରିଛନ୍ତି ଗୋଲକ ବିହାରି ମହାପାତ୍ର ।
ସେପଟେ ଆସନ୍ତା ୧୩, ୧୪ ଓ ୧୫ ତାରିଖରେ ପୁରୀରେ ହେବ ରାଜ୍ୟ ବିଜେପିର ପ୍ରଶିକ୍ଷଣ ଶିବିର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦଘାଟନ କରିବେ । ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ବିହାରୀ ମହାପାତ୍ର ଅଧିକ ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, "ଆଗାମୀ ୧୩, ୧୪ ଓ ୧୫ ତାରିଖରେ ପୁରୀରେ ବିଜେପିର ପ୍ରଶିକ୍ଷଣ ଶିବିର ଆୟୋଜନ ହେବ । ଏହା ଏକ ଦଳୀୟ କାର୍ଯ୍ୟକ୍ରମ । ଆଗରୁ ମଧ୍ୟ ଏଭଳି କାର୍ଯ୍ୟକ୍ରମ ହୋଇ ଆସିଛି । ଆଗକୁ ୨୦୨୪ ନିର୍ବାଚନ ଥିବାରୁ ବର୍ତ୍ତମାନ ଏହି ଶିବିର ଆୟୋଜନ କରାଯାଇଛି । ୨୦୨୪ରେ କିଭଳି ବିଜୟ ହାସଲ କରିବୁ ତାହାକୁ ନେଇ ଆଲୋଚନା ହେବ । ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିବାକୁ ଥିବା ବେଳେ ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ତାସହିତ ଏଥିରେ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ଉପସ୍ଥିତ ରହିବେ । ଅନେକ ବିଷୟରେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହେବ ।"
ଏହା ମଧ୍ୟ ପଢ଼ନ୍ତୁ:ବିଜେପିର ମିଶନ ୨୦୨୪: ଅଙ୍କ କସିଲେ ପ୍ରଭାରୀ ସୁନୀଲ ବଂଶଲ