ଭୁବନେଶ୍ବର: ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନ ନେଇ ଆଜି ସର୍ବଦଳୀୟ ବୈଠକ (Panchayat election all Party meeting) ବସିଛି । ଏହି ବୈଠରେ ରାଜ୍ୟର ତିନି ମୁଖ୍ୟ ରାଜନୈତିକ ଦଳ ସମେତ ଅନ୍ୟାନ୍ୟ ଦଳ ମଧ୍ୟ ସାମିଲ ହୋଇଛନ୍ତି । ରାଜ୍ୟ ମୁଖ୍ଯ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ଏହି ସର୍ବଦଳୀୟ ବୈଠକରେ ବିଜେପି ପକ୍ଷରୁ ମୁଖ୍ୟ ସଚେତକ ମୋହନ ମାଝୀ (Opposition Chief Whip Mohan Majhi) ଯୋଗ ଦେଇଥିଲେ । ବୈଠକରେ ବିଜେପି ପ୍ରତିନିଧି 9ଟି ପ୍ରସ୍ତାବ ରଖିଛନ୍ତି ।
ଓବିସି ବର୍ଗଙ୍କୁ ସଂରକ୍ଷଣରୁ ବାଦ ଦିଆଯିବା ପ୍ରସଙ୍ଗ ଉଠାଇଛି ବିଜେପି । ଯେପର୍ଯ୍ୟନ୍ତ ଏ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ବିଜେପି ଦାବି କରିଛି । ପେସା ଆଇନ ଲାଗୁ ହେଉଥିବା ଜିଲ୍ଲାରେ ମଧ୍ୟ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ଅନୁସୂଚିତ ଜନଜାତି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନି । କନ୍ଧମାଳ ଓ କୋରାପୁଟରେ ଏହି ଭଳି ହୋଇଛି । ତୁରନ୍ତ ଏହାକୁ ସଂଶୋଧନ କରିବାକୁ ବିଜେପି ଦାବି କରିଛି । ଜାରୀ ହୋଇଥିବା ଭୋଟର ତାଲିକାରେ ଅନେକ ତ୍ରୁଟି ହୋଇଛି । ଏହାକୁ ସଂଶୋଧନ କରାଯାଉ ବୋଲି ବିଜେପି ଦାବି କରିଛି ।