ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଥିବା ଅନୁସୂଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଭେଟିଲା ବିଜେପି ଅନୁସୁଚିତ ମୋର୍ଚ୍ଚାର ପ୍ରତିନିଧି ଦଳ । ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧ୍ଵୀନ ୨୧ବର୍ଷର ବିଜେଡି ସରକାର ରାଜ୍ୟର ଅନୁସୂଚିତ ଜାତି (SC) ଲୋକଙ୍କ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରିଆସୁଛି । ବାର୍ଷିକ ହାରାହାରି ୨୦୦ରୁ ଅଧିକ ଅନୁସୂଚିତ ଜାତି ପ୍ରତି ଅତ୍ୟାଚାର ମାମଲା ପଞ୍ଜୀକୃତ ହେବା ସତ୍ତ୍ଵେ ପୀଡ଼ିତମାନଙ୍କୁ ନ୍ୟାୟ ପ୍ରଦାନ କରାଯାଉନାହିଁ । ଏଭଳି ସମସ୍ୟା ନେଇ ଅନୁସୂଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛି ବିଜେପି ଅନୁସୁଚିତ ମୋର୍ଚ୍ଚାର ପ୍ରତିନିଧି ଦଳ ।
ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ହେଉନି । ଫଳେ ଅନୁସୂଚିତ ଜାତି ମାମଲା ସଂପର୍କିତ ବହୁ ସମସ୍ୟାର ସମାଧାନ ହୋଇପାରୁନାହିଁ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଅନୁସୂଚିତ ଜାତି ଉପଦେଷ୍ଟା ବୋର୍ଡ କାର୍ଯ୍ୟ କରୁନଥିବାରୁ ଅନେକ ସମସ୍ୟା ବିଚାରଧୀନ ଅଛି । ରାଜ୍ୟରେ ଅନୁସୂଚିତ ଜାତି ସମ୍ବନ୍ଧୀୟ ମାମଲା ଓ ଅତ୍ୟାଚାର ପ୍ରସଙ୍ଗରେ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁସୂଚିତ ଜାତି ଆୟୋଗର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ଅରୁଣ ହାଲଦାରଙ୍କୁ ବିଜେପି ଅନୁସୂଚିତ ମୋର୍ଚ୍ଚା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି ।