ଭୁବନେଶ୍ବର: ରାଜ୍ୟରେ ପୌର ନିର୍ବାଚନ ବିଳମ୍ବ ନେଇ ତାତିଲା ବିଜେପି । ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ନିର୍ବାଚନ ବିଳମ୍ବ କରୁଛନ୍ତି । ପ୍ରଥମେ ପୌର ନିର୍ବାଚନ ହେବା ଦରାକର । ମାତ୍ର ତାହା ହେଉନାହିଁ । ସାଢେ ୩ ବର୍ଷ ବିଳମ୍ବ ହୋଇସାରିଲାଣି । 50 ପ୍ରତିଶତ କ୍ୟାପକୁ ଆଖି ଆଗରେ ରଖି ପୌର ନିର୍ବାଚନ ଆଗ କରିବା କଥା । ହେଲେ ଏହି ନିର୍ବାଚନ ନ କରି ପଞ୍ଚାୟତ ନିର୍ବାଚନରେ 50 ପ୍ରତିଶତ କ୍ୟାପକୁ କରି ନୂଆ ଆଇନରେ ସଂଶୋଧନ ଆଣିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସରକାରୀ ଦଳ ସମ୍ପୂର୍ଣ୍ଣ ଆଇନ ତଥା ପଞ୍ଚାୟତ ବ୍ୟବସ୍ଥାକୁ ଭଣ୍ଡୁର କରିବା ପାଇଁ ସମସ୍ତ ଅପଚେଷ୍ଟା କରିଛନ୍ତି । ଏଭଳି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର ।
ଭୃଗୁବକ୍ସି ପାତ୍ର କହିଛନ୍ତି, ପୌର ନିର୍ବାଚନ ସମ୍ପର୍କରେ ସରକାର କିଛି କହୁନାହାନ୍ତି । ଯେତେବେଳେ କି ପୌର ନିର୍ବାଚନ ଗତ 3 ବର୍ଷ ଧରି ବନ୍ଦ ଅଛି । ପଞ୍ଚାୟତ ନିର୍ବାଚନ ତା' ସମୟରେ ହେବ । 50 ପ୍ରତିଶତ କ୍ୟାପ ରଖିବା ପାଇଁ ସୁପ୍ରିମକୋର୍ଟ ଆଗରୁ କହିସାରିଛନ୍ତି । ତେଣୁ ସରକାର କରିବା ପାଇଁ ବାଧ୍ୟ ହେବେ । ଏଥିରେ କୌଣସି ନୂଆ କଥା ନାହିଁ । କିନ୍ତୁ ଅନ୍ତତଃପକ୍ଷେ ପୌର ନିର୍ବାଚନର ପ୍ରକ୍ରିୟା ସରକାର ଆଗ ଆରମ୍ଭ କରିବା କଥା । କିନ୍ତୁ ରାଜ୍ୟ ସରକାରଙ୍କର ସନ୍ଦେହ ଅଛି ଯେ ପୌର ନିର୍ବାଚନରେ ସେମାନେ ସଫଳ ହେବେ ନାହିଁ । ପରାଜୟ ହେବ । ତେଣୁ ପଞ୍ଚାୟତ ନିର୍ବାଚନର ଆଳ ଦେଖାଇ ପୌର ନିର୍ବାଚନକୁ ଆଗକୁ ନେବାକୁ ସରକାର ଏ ପ୍ରକାର ଅପଚେଷ୍ଟା କରୁଛନ୍ତି । ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସମସ୍ତ ପ୍ରକାର ନିର୍ବାଚନକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଗୋଟିଏ ବାଟ ବାହାର କରୁଛନ୍ତି ବୋଲି ଭୃଗୁବକ୍ସି ଅଭିଯୋଗ କରିଛନ୍ତି ।