ଭୁବନେଶ୍ବର: ରାମକୋ କମ୍ପାନୀକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାମକୋ କମ୍ପାନୀକୁ ବେଆଇନ ଜମି କିଭଳି ଦିଆଯାଇଛି ସେନେଇ ମଧ୍ୟ ପ୍ରଶ୍ନ ଉଠାଇଛି ବିଜେପି । ସ୍ମିତାରାଣୀ ମାମଲା ଚାପି ଦେବାକୁ ସରକାର ଚେଷ୍ଟା କରୁଛନ୍ତି । ଆଜି(ଶୁକ୍ରବାର) ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଜେପି ନେତ୍ରୀ ସୋନାଲି ସାହୁ ଏଭଳି ଅଭିଯୋଗ ଆଣିଛନ୍ତି ।
ବିଜେପି ନେତ୍ରୀ ସୋନାଲି ସାହୁ ଅଭିଯୋଗ କେବଳ ଏତିକି ନୁହେଁ, ରାମକୋ କମ୍ପାନୀ ପାଇଁ ମୁଖପାତ୍ର ସାଜିଛନ୍ତି ବିଜେଡି l କିଭଳି ଭାବେ ରାମକୋ କମ୍ପାନୀକୁ 152 ଏକର ବେଆଇନ ଜମି ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତ୍ରୀ ସୋନାଲି ସାହୁ ।
ସେ କହିଛନ୍ତି ଯେ, ସିମେଣ୍ଟ କାରଖାନା ପ୍ରତିଷ୍ଠା ପାଇଁ ରାମକୋକୁ ରାଜ୍ୟ ସରକାର ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତରରେ 152 ଏକର ଜମି ଦେଇଥିଲେ । ଏହାବାଦ ଶହଶହ ଏକର ବେଆଇନ ଜମି ମଧ୍ୟ ରାମକୋ ମାଡି ବସିଛି । ତେଣୁ ଏହିସବୁ ବେଆଇନ ଜବରଦଖଲ ଜମିକୁ ଆଇନ ସମ୍ମତ କରିବାକୁ ଧର୍ମଶାଳା ପିଇଓ ସ୍ମିତାରାଣୀଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା । ଏଥିରେ ସେ ରାଜି ନହେବାରୁ ତାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।
ରାମକୋ କମ୍ପାନୀ ପାଇଁ ରାଜ୍ୟ ସରକାରଙ୍କ ଏତେ ଦରଦ କାହିଁକି । ସ୍ମିତାରାଣୀ ହତ୍ୟାର ମୂଳ ମଞ୍ଜି ହେଉଛି ରାମକୋ କମ୍ପାନୀ । ସରକାର ଏମାନଙ୍କୁ ଘଣ୍ଟ ନଘୋଡାନ୍ତୁ ବୋଲି କହିଛି ବିଜେପି । ଏହି ଘଟଣାର ସିବିଆଇ କି ଏସଆଇଟି ତଦନ୍ତ କରାଯାଉ ବୋଲି ଦଳ ଦାବି କରିଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ