ଭୁବନେଶ୍ବର: ପଦାରେ ପଡିଲା ବିଏମସିର ଏକଚାଟିଆ ନୀତି । କର୍ପୋରେସନ ବୈଠକକୁ ବୟକଟ କଲେ ବିଜେପି କର୍ପୋରେଟର । ଆଣିଲେ ସାଙ୍ଘାତିକ ଅଭିଯୋଗ। ମେୟର, କମିଶନର, ବିଧାୟକ , ଅଫିସର ମାନେ କୌଣସି କାର୍ଯ୍ୟରେ ସହଯୋଗ କରୁନଥିବା ଭଳି ବହୁ ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି କର୍ପୋରେଟର ମାନେ । ବୈଠକ ଭିତରେ ଯେତିକି ଗଣ୍ଡଗୋଳ ବାହାରେ ବି ପ୍ରବଳ ହଟଗୋଳ ଓ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଅନେକ ସମୟ ଧରି ମିଟିଂ ହଲ ରୁ ବାହାରି ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ବିଜେପି କର୍ପୋରେଟର । ଏହାକୁ ନେଇ ଆଉ କିଛି ସମୟ ପାଇଁ ବିଏମସି ଅଫିସ ସମ୍ମୁଖରେ ଯୁକ୍ତି ତର୍କ ହୋହାଲ୍ଲା ହୋଇଥିଲା । ମେୟରଙ୍କ ସମେତ କିଛି ବରିଷ୍ଠ କର୍ପୋରେଟ ଆସି ବୁଝାଇବା ପରେ ଧାରଣାରୁ ଉଠିଥିଲେ ବିଜେପି କର୍ପୋରେଟ ।
ଘଟଣା ଟି ଥିଲା ଏପରି । ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତ ତାଙ୍କ ୱାର୍ଡରେ ବିଏମସିର ସହମତି ନେଇ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତି କରିଥିଲେ। ଆଉ ଏଥିରେ ମେୟର ବିଧାୟକ ଓ ବିଏମସିର ଅଧିକାରୀ ମାନେ ଆମନ୍ତ୍ରିତ ଅତିଥି ଭାବେ ଯୋଗ ଦେବା ପାଇଁ ସହମତି ପ୍ରକାଶ କରିଥିଲେ। ହେଲେ କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହୋଇଥିଲେ ବି ରାତି ଅଧିଆ ଫୋନରେ ମେସେଜ କରିଦେଇ କାର୍ଯ୍ୟକ୍ରମକୁ ବାତିଲ କରିଥିଲେ ଅତିଥି ମାନେ । ଯାହା ବିଜେପି କର୍ପୋରେଟରଙ୍କୁ ୱାର୍ଡବାସୀଙ୍କ ସମ୍ମୁଖରେ ଲଜ୍ଜିତ କରିଥିଲା। ଏହି ପ୍ରସଙ୍ଗକୁ ଜୀବନ ବୈଠକରେ ଉଠାଇଥିଲେ। ହେଲେ ଏହାକୁ କେହି କର୍ଣ୍ଣପାତ କରିନଥିଲେ । ଏହାକୁ ନେଇ ସେ ବୈଠକରେ ଉଠିଆସିଥିଲେ। ଆଉ ସମାନ ଅଭିଯୋଗ କରି ତାଙ୍କ ସହ ଅନ୍ୟ ବିଜେପି କର୍ପୋରେଟର ବି ଉଠିଆସିଥିଲେ।
ଆଉ ରାଜନୈତିକ ଭେଦଭାବକୁ ନେଇ ସଂଖ୍ୟା ଗରିଷ୍ଠତା ଦଳ ବା ବିଜେଡି କର୍ପୋରେଟରଙ୍କ କଥା କେବଳ ଶୁଣାଯାଉଥିବା ଅଭିଯୋଗ କରି ଧାରଣାରେ ବସିଥିଲେ। ଖାଲି ସେତିକି ନୁହେଁ ସେମାନଙ୍କ ୱାର୍ଡରେ ବିଧାୟକ ମାନେ ନିର୍ବାଚନରେ ହାରିଥିବା କର୍ପୋରେଟର ଙ୍କୁ ଧରି ଦାଦାଗିରି କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ବିଜେପି କର୍ପୋରେଟର । ଏପରିକି ସରକାରୀ କାର୍ଯ୍ୟକ୍ରମରେ କର୍ପୋରେଟରଙ୍କୁ ଗୁରୁତ୍ବ ଦିଆନଯାଇ ହାରିଥିବା ପ୍ରାର୍ଥୀଙ୍କୁ ଧରି ବିଜେଡି ବିଧାୟକମାନେ ମନମାନି କରୁଥିବା ଅଭିଯୋଗ ଆଣିଛନ୍ତି ।