ଭୁବନେଶ୍ବର:ରାଜ୍ୟରେ ସରଗରମ ରହିଛି ପଞ୍ଚାୟତ ନିର୍ବାଚନ ଉଷ୍ମତା । ବିଭିନ୍ନ ଦଳ କସରତ ଆରମ୍ଭ କରି ଦେଇଛି । କିପରି ଭୋଟରଙ୍କ ମନ ଜିଣିବେ ସେ ନେଇ ଆରମ୍ଭ ହୋଇଛି ରଣନୀତି । ଏହାରି ଭିତରେ ଗୋଟିଏ ଦଳ ଅନ୍ୟ ଦଳର ତ୍ରୁଟି ଖୋଜିବାରେ ଲାଗିଛି । ଭୋଟର ତାଲିକା ପ୍ରସଙ୍ଗରେ ଅନିୟମିତତା ଅଭିଯୋଗ କରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହୋଇଛି ବିଜେପି ।
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ବରେ 11 ଜଣିଆ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିଲେ । ପ୍ରତିନିଧି ଦଳ ଅଭିଯୋଗ କରିଛି ଭୋଟର ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତତା ହୋଇଛି । ଖାସ କରି ଶାସକ ଦଳର ଇଙ୍ଗିତରେ ଉଦେଶ୍ୟମୂଳକ ଭାବେ ବିଜେପି ସମର୍ଥିତ ବ୍ୟକ୍ତିବିଶେଷ ଓ ତୃଣମୁଳ ସ୍ତରରେ ଥିବା ନେତାଙ୍କ ନାମକୁ ବାଦ ଦିଆ ଯାଇଛି । ଏହି ଘଟଣାରେ ରାଜ୍ୟ ନିର୍ବାଚନ ଆୟୋଗ ହସ୍ତକ୍ଷେପ କରିବା ଜରୁରୀ ।